ଲାଇଟ୍‌‌ମରାକୁ କେନ୍ଦ୍ର କରି ରାଜଧାନୀରେ ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ: ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କେଳୁଚରଣ ପାର୍କ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ନେଇଛି। ଲାଇଟ୍‌‌ମରାକୁ କେନ୍ଦ୍ର କରି ରାତିଅଧରେ ଖଣ୍ଡା ବୁଲିଛି। ଖଣ୍ଡା ଚୋଟର ଶିକାର ହୋଇଥିବା ସୋନୁ ମହାନ୍ତି ନାମକ ଯୁବକଙ୍କୁ ଦୁବୃର୍ତ୍ତମାନେ ଏକାଧିକ ବାର ଖଣ୍ଡା ଚୋଟ ଦେଇ ଲହୁଲୁହାଣ କରିଦେଇଛନ୍ତି। ତାଙ୍କ ମୁଣ୍ଡ, ଛାତି ବେକରେ ଗଭିର ଚୋଟ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନୁଙ୍କ ସମେତ ଆଉ ୨ଜଣ ଆହତ ହୋଇଛନ୍ତି। 

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳର ଏକ ଆବାସ କଲୋନୀରେ ସୋନୁ ରହୁଥିଲେ। ସେ ତାଙ୍କ ସାଙ୍ଗମାନଙ୍କ ସହ କେଳୁଚରଣ ପାର୍କ ନିକଟରେ ଏକତ୍ରିତ ହୋଇଥିଲେ। ଗାଡକଣ ଅଞ୍ଚଳରେ ରହୁଥିବା ତାଙ୍କ ବିପରିତ ଗୋଷ୍ଠୀର କିଛି ଯୁବକ ଆସି ସେଠାରେ ଲାଇଟ୍‌‌ ମାରିଥିଲେ। ଏହାକୁ ସୋନୁ ଏବଂ ତାଙ୍କ ସହଯୋଗୀମାନେ ବାରଣ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ବିପରିତ ଗୋଷ୍ଠୀର ଯୁବକମାନେ ସେଠାରୁ ଚାଳିଯାଇଥିଲେ। ପୁଣି ଥରେ ଫେରି ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ଖଣ୍ଡାରେ ଆକ୍ରମଣ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

About The Author: Madhusudan Das