ପାର୍ବଣ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି: ପୂଜା ମଣ୍ଡପରେ ସିସିଟିଭି ସହ ସାଦା ପୋଷାକରେ ମୁତୟନ ହେବେ ପୋଲିସ

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ଅପରାଧ ରୋକିବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପୂଜା ମଣ୍ଡପଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା ସହ ସାଦା ପୋଷାକରେ ପୋଲିସ ମୁତୟନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱରର ଡିସିପି ଡ. ସର୍ବଣା ବିବେକ ଏମ୍ କହିଛନ୍ତି ଯେ, ପୂର୍ବ ବର୍ଷର ଘଟଣାକୁ ଆଧାର କରି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେଠାରେ ପାଟ୍ରୋଲିଂ ବୃଦ୍ଧି କରାଯିବ। ପୋଲିସ ପକ୍ଷରୁ ପୂଜା କମିଟି ଏବଂ ଆୟୋଜକମାନଙ୍କ ସହ ଆଲୋଚନା ସରିଛି। ପୂଜା ମଣ୍ଡପରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ସହ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ସନ୍ଦେହଜନକ ଗତିବିଧି, ଭିଡ଼ ନିୟନ୍ତ୍ରଣ ଏବଂ ବିଶେଷକରି ମହିଳାମାନଙ୍କୁ ଟାର୍ଗେଟ୍ କରୁଥିବା ଅପରାଧ ଯେପରିକି ଚେନ୍ ସ୍ନାଚିଂ ରୋକିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ସାଦା ପୋଷାକଧାରୀ ପୋଲିସ କର୍ମଚାରୀ ମୁତୟନ ହେବେ। ଡିସିପି କହିଛନ୍ତି ଯେ ଅଭ୍ୟାସଗତ ଅପରାଧୀ ଏବଂ ଲୁଟେରାମାନଙ୍କ ଫଟୋ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯିବ। ଏହାସହ ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପୋଲିସ ପକ୍ଷରୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି।

About The Author: Madhusudan Das