ଭୁବନେଶ୍ୱର: ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକ ମତାମତ ଦେଇଛନ୍ତି। ଗତକାଲି ଶଙ୍ଖ ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଏଥର ନିର୍ବାଚନୀ ଇସ୍ତାହାରରେ ଛାତ୍ର ଓ ଯୁବକଙ୍କୁ ବିଜେଡି ପ୍ରାଥମିକତା ଦେବାର ସମ୍ଭାବନା ଯଥେଷ୍ଟ ଅଧିକ। ସେହିପରି ସମାଜର ଅନ୍ୟ ବର୍ଗଙ୍କୁ ଇସ୍ତାହାରରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ଚାଷୀ, ମହିଳା ବର୍ଗ ବିଜେଡି ଫୋକସରେ ରହିଛନ୍ତି। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଫୋକସ ଦିଆଯାଇଥିବାବେଳେ ସେଥିରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଗ୍ୟାରେଣ୍ଟି। କୁହାଯାଉଛି ଏଥର ବି ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ପ୍ରାଧାନ୍ୟ ଦେବ। ଖାସ୍ କରି ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ ଗୁରୁତ୍ୱ ଦେବ ବିଜୁ ଜନତା ଦଳ। ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ଗଢିବାରେ ଏସବୁ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆସୁଛନ୍ତି, ଆଗାମୀ ୧୦ ବର୍ଷ ଯୁବ ବର୍ଗଙ୍କର ହେବ। ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ନିର୍ମାଣକୁ ଆମର ଯୁବ ଓ ଛାତ୍ର ସମାଜ ହିଁ ସାକାର କରିପାରିବେ। ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶାର ମୂଳଦୁଆ ସ୍ୱରୂପ ସରକାର ଏବେ ଠାରୁ ଯୁବ ଓ ଛାତ୍ର ସମାଜକୁ ଲକ୍ଷ୍ୟରେ ରଖି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଅପରପକ୍ଷେ ସମାଜର ସବୁ କ୍ଷେତ୍ରର ଜନତାଙ୍କ ସୁଖ ସୁବିଧା ଚିନ୍ତା କରୁଥିବା ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ସୂଚନା ଅନୁସାରେ ଛାତ୍ର ଇସ୍ତାହାରରେ କ’ଣ ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ ମତାମତ ଅଣାଯାଇଛି। ସେହିପରି କୃଷି ବଜେଟ ପରି ଯୁବ ବଜେଟ ଆଣାଯିବ। ଦକ୍ଷତା ବିକାଶ ସହ ଯୁବକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏହି ବଜେଟ ପ୍ରସ୍ତୁତ କରାଯିବ।
ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ ହିଁ ଛାତ୍ର ଇସ୍ତାହାର ଓ ଯୁବ ବଜେଟ ଉପରେ ମୋହର ମାରିବେ ନବୀନ। ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରି ଦେଇଛି। ଏ ସମସ୍ତ ନେତା ସମାଜର ବିଭିନ୍ନ କ୍ଷେତ୍ର, ବିଭିନ୍ନ ଅଞ୍ଚଳ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆଲୋଚନା କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି। bjdmanifesto2024@gmail.com ଜରିଆରେ ଇସ୍ତାହାର ପାଇଁ ମତାମତ ଆସିବାରେ ଲାଗିଲାଣି। ଇସ୍ତାହାର କମିଟିର ପରବର୍ତ୍ତି ବୈଠକରେ ଏସବୁ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ହେବ। ଚୂଡ଼ାନ୍ତ ରୂପରେଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିବେ । ସେପଟେ ଦିନକୁ ଦିନ ବିଜେଡିର ସମର୍ଥନ ବଢିବାରେ ଲାଗୁଛି। ମସଜିଦ୍ ଓ ଚର୍ଚ୍ଚର ବିକାଶ ସହ କବରସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ଜମି ପ୍ରଦାନ କରିଛନ୍ତି।
ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟ ଦୈନିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି। ସମ ବିକାଶ ଓ ଧର୍ମ ନିରପେକ୍ଷ ରାଜନୀତି ହେଉଛି ନବୀନ ମନ୍ତ୍ର। ସମସ୍ତଙ୍କୁ ନେଇ ଦୁଇ ଦଶନ୍ଧିରୁ ଅଧିକ କାଳ ରାଜ୍ୟର ବିକାଶରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଗତ ୫ ବର୍ଷରେ ହୋଇଥିବା ଅଭୂତପୂର୍ବ ୫-ଟି ରୂପାନ୍ତରଣ ସବୁ ବର୍ଗର ଲୋକଙ୍କୁ ଛୁଇଁଛି। ରାସ୍ତାରୁ ନେଇ ଧାର୍ମିକ ଅନୁଷ୍ଠାନ, ବିଦ୍ୟାଳୟରୁ ନେଇ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ଖେଳ ପଡିଆରୁ ନେଇ ମୌଳିକ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁଠି ବିକାଶର ବାର୍ତ୍ତା ସ୍ପଷ୍ଟ ଦୃଶ୍ୟମାନ। ୨୦୩୬ରେ ସ୍ୱତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପ୍ରତିଦ୍ଧତା ବାସ୍ତବ ରୂପ ପାଉଛି। ଏସବୁ ଦୃଷ୍ଟିରୁ ଚଳିତ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର ବିକାଶର ନୂଆ ପଥ ଉନ୍ମୁକ୍ତ କରିବ ବୋଲି କୁହାଯାଉଛି।