ବଢ଼ିବ ଥଣ୍ଡା, ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ଥଣ୍ଡା ବଢ଼ିବ। ବିଶେଷକରି, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଥଣ୍ଡାର ପ୍ରଭାବ ଅଧିକ ରହିବ। ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ହାରାହାରି ୨୦ ଡିଗ୍ରୀ ମଧ୍ୟରେ ରହୁଛି। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୮ଡିଗ୍ରୀ, ଫୁଲବାଣୀରେ ୧୮ଡିଗ୍ରୀ, ଅନୁଗୁଳ ଓ ଭଦ୍ରକରେ ତାପମାତ୍ରା ୧୯ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ଅନ୍ୟପଟେ ମ୍ୟାଁମାର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟକୁ ଉତ୍ତରା ଶୁଷ୍କ ପବନ ଆସିବାରେ ମଧ୍ୟ ସ୍ଥିତି ସହାୟକ ହେଉଛି। ତେଣୁ, ରାଜ୍ୟକୁ ଉତ୍ତରା-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ପଶିବା ଯୋଗୁଁ  ରାତିର ତାପମାତ୍ରା ହ୍ରାସ ହେବାରେ ଲାଗିଛି। ମ୍ୟାଁମାର୍‌ ଉପକୂଳରେ ଥିବା ଏହି ଲଘୁଚାପର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ଆସନ୍ତା ୭ଦିନ ମଧ୍ୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ରହିଛି।

About The Author: Madhusudan Das