ଭୁବନେଶ୍ୱର: ଭୁବନେଶ୍ୱର ସମେତ ରାଜ୍ୟର ଦକ୍ଷିଣ ଉପକୂଳରେ ୭ରୁ ୯ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବ। ଦକ୍ଷିଣ-ପୂର୍ବ ଆଭ୍ୟନ୍ତରରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଘୁଆ ପାଗ ରହିବାକୁ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରରେ ୮ରୁ ୯ ତାରିଖ ଆଂଶିକ ଏବଂ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ୯ରୁ ୧୦ ଆଂଶିକ ମଘୁଆ ହୋଇପାରେ। ଅପରପକ୍ଷେ, ଉତ୍ତର ଉପକୂଳରେ ୯ ତାରିଖକୁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଛି।
ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଦକ୍ଷିଣ ଉପକୂଳରେ ୭ ଓ ୮ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଆଭନ୍ତରରେ ୮ ତାରିଖରେ ହାଲୁକାରୁ ସ୍ୱଳ୍ପ ବର୍ଷା, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତର ଜିଲ୍ଲାଗୁଡ଼ିକରେ ୯ ତାରିଖରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସିଷ୍ଟମ୍ଟି କ୍ରମଶଃ ଘନୀଭୂତ ହୋଇ ୧୨ତାରିଖରେ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ଡ. ପଶୁପାଳକଙ୍କ ଆକଳନ ଅନୁଯାୟୀ ଡିସେମ୍ବରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର/ଦକ୍ଷିଣ ଆଣ୍ଡାମାନ ସାଗରରେ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ସେହିପରି ଦକ୍ଷିଣ ଆଭ୍ୟନ୍ତରରେ ୯ ତାରିଖରୁ ସର୍ବନିମ୍ନ ରାତି ତାପମାତ୍ରା କମିବାକୁ ଥିବା ବେଳେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ୧୦ ତାରିଖରୁ ରାତି ତାପମାତ୍ରା କମିବା ନେଇ ଆଶା କରାଯାଉଛି।