ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମ ନିକଟରେ ଥିବା କାନୁପୁର ଜଳସେଚନ ପ୍ରକଳ୍ପର ଏକ ଅସ୍ଥାୟୀ କପର ଡ୍ୟାମ୍ ଭାଙ୍ଗିଯାଇଛି। ଏହା ଫଳରେ ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଆଜି ସକାଳ ସମୟରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର ମାଟିରେ ନିର୍ମିତ ଏହି ଅସ୍ଥାୟୀ କପର ଡ୍ୟାମ୍ଟି ଭାଙ୍ଗି ଯାଇଥିଲା। ଏହା ପରେ ମୁଖ୍ୟ ଡ୍ୟାମ୍ର ୬ଟି ରେଡିଆଲ୍ ଗେଟ୍ ଏବଂ ୨ଟି ଡିପ୍ରେସନ୍ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ ନିକଟରେ ତୁରନ୍ତ ସାଇରନ୍ ବଜାଯାଇଥିଲା ଏବଂ ଲୋକଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବା ପାଇଁ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।
ବନ୍ୟା ଜଳ ନିଷ୍କାସନ ହେବା ପରେ ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଯାଇଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଡ଼ା, ଚମ୍ପୁଆ, ପାଟଣା ଏବଂ ଝୁମ୍ପୁରା ବ୍ଲକର ତଳିଆ ଗ୍ରାମ ଓ ନଦୀକୂଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ କରାଯାଇଛି। ଏଥିସହ ନଦୀ ପାଖକୁ ନଯିବାକୁ ନିବେଦନ କରାଯାଇଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ଆନନ୍ଦପୁର ଓ ଆଖୁଆପଦାଠାରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଜୁଲାଇ ୨୦୨୬ ଶେଷ ସୁଦ୍ଧା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦୁଇଟି ଡିପ୍ରେସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ଟି ରେଡିଆଲ୍ ଗେଟ୍ ନିର୍ମାଣ କାର୍ଯ୍ୟକୁ ସୁବିଧାରେ କରିବା ପାଇଁ ଏହି ଅସ୍ଥାୟୀ କପର ଡ୍ୟାମ୍ ନିର୍ମାଣ କରାଯାଇଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ବର୍ଷ ମଧ୍ୟ ସମାନ ଧରଣର ଏକ ଘଟଣା ଘଟିଥିବାରୁ, ବାକି ଥିବା କାର୍ଯ୍ୟର ଠିକ୍ ସମୟରେ ସମ୍ପନ୍ନ ହେବା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।