ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, BSKY କାର୍ଡ ବାଣ୍ଟିବା ସହ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶୁଭ ଉଦଘାଟନ

ଭୁବନେଶ୍ବର/ ଛତ୍ରପୁର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ବାସ୍ଥ୍ୟସେବା ସହ ଯୋଡ଼ିହେବ ଗଞ୍ଜାମ। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବେ । ଏହି ଅବସରରେ ସେ ଗଞ୍ଜାମବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଯୋଗେ ୨୨୦୦ କୋଟି ଟଙ୍କାର ଭେଟି ଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଗଞ୍ଜାମ ଜିଲ୍ଲା ପୁଲିସ ଓ […]

ଭୁବନେଶ୍ବର/ ଛତ୍ରପୁର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ବାସ୍ଥ୍ୟସେବା ସହ ଯୋଡ଼ିହେବ ଗଞ୍ଜାମ। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବେ । ଏହି ଅବସରରେ ସେ ଗଞ୍ଜାମବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଯୋଗେ ୨୨୦୦ କୋଟି ଟଙ୍କାର ଭେଟି ଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଗଞ୍ଜାମ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ପୁରୁଷୋତ୍ତମପୁର ନିକଟ ମା ତାରାତାରିଣୀ ପୀଠକୁ ଆସି ଦର୍ଶନ ପରେ ସେଠାରେ ଆୟୋଜିତ ସଭାରେ ଯୋଗଦେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନ ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏହା ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ପୁରୁଷୋତ୍ତମପୁରରେ ସକାଳ ୧୦.୩୦ ସମୟରେ ପହଞ୍ଚି ମା’ଙ୍କ ଦର୍ଶନ ପାଇଁ ଯିବେ । ୧୦.୪୦ ସମୟରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଞ୍ଚିବେ । ସେଠାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଏଥିରେ ୨୫ ଲକ୍ଷ ପରିବାର ଉପକୃତ ହେବେ । ସ୍ମାର୍ଟକାର୍ଡ ବଣ୍ଟନ ପରେ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୫୭୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ୬୫୯ଟି ପ୍ରକଳ୍ପର ଉଦଘାଟନ, ୧୫୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ ଅନ୍ତର୍ଭୁକ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍, ରାସ୍ତା ଓ ଡ୍ରେନ୍‌ର ଉଦଘାଟନ କରିବେ। ସେହିଭଳି ୨୧୯ କୋଟି ଟଙ୍କାରେ ନିର୍ମିତ ୨୮୯ଟି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳପ୍ରକଳ୍ପର ଉଦଘାଟନ ହେବ ଏବଂ ୭୬୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୪୩୯ଟି ସ୍ବାସ୍ଥ୍ୟ, ପାନୀୟଜଳ ଓ ଶିକ୍ଷା ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

ଏହା ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧତ କରିବେ । ଏହି ଅବସରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ସାଂସଦମାନେ ଉପସ୍ଥିତ ରହିବେ। ୧୧.୨୫ ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ସେଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାତ୍ରା କରିବେ। ହିଞ୍ଜିଳିକାଟୁରେ ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜ୍ ପ୍ରଦାନ, ମିଶନ ଶକ୍ତି ପକ୍ଷରୁ ବ୍ୟାଟେରୀ ଚାଳିତ ଯାନର ଲୋକାର୍ପଣ, ଗଞ୍ଜାମ ଦର୍ଶନ ବସ୍‌ର ଶୁଭାରମ୍ଭ ଆଦି କରିବେ । ଏହି ଅବସରରେ ହିଞ୍ଜିଳି ନିର୍ବାଚନମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନ ପ୍ରଦାନ କରାଯିବ। ଏହି ସଭା ପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ବୃନ୍ଦାବନ ବିଦ୍ୟାପୀଠ ଯାଇ ସ୍ମାର୍ଟ କ୍ଲାସ୍ ରୁମ୍, ଆଧୁନିକ ପରୀକ୍ଷାଗାର, ଇ-ପାଠାଗାର ଆଦି ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୧୨.୧୫ ସମୟରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ୍ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଯୁକ୍ତ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ଖବରଦାତା ଓ ଫଟୋଗ୍ରାଫର ସମସ୍ତେ ଆରଟିପିସିଆର୍ ଟେଷ୍ଟ କରିବା ବାଧ୍ୟତାମୂଳକ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୫୦୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସମସ୍ତ ୱାର୍ଡ ମେମ୍ବର, ୬୯ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ସଭାନେତ୍ରୀ, ୨୨ବ୍ଲକ ଅଧ୍ୟକ୍ଷ ଯୋଗଦେବେ ।

About The Author: The Sakala