ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୋଭିଡ କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାବାସୀ ପାଳନ କରୁଛନ୍ତି ଏହି କୃଷିଭିତ୍ତିକ ଗଣପର୍ବ । ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଆମ କଳା ସଂସ୍କୃତିର ପରିଚୟ । ଏହା ଏକ ସାମାଜିକ ପର୍ବ । ବ୍ୟକ୍ତି ନୁହେଁ , ସମାଜ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ସମସ୍ତେ କୋଭିଡ ନିୟମ ମାନି ତିହାର ପାଳନ କରନ୍ତୁ ବୋଲି ଆହ୍ୱାନ ଦେବା ସହ ମାଆ ସମଲେଶ୍ୱରୀ ସମସ୍ତଙ୍କୁ ସୁଖଶାନ୍ତିରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସକାଳ ୧୦ଟା ୧୫ରୁ ୧୦ଟା ୨୫ ମିନିଟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ଘରୁ ନୂଆଁ ମନ୍ଦିରକୁ ଆସିବାର ପରମ୍ପରା ରହିଛି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ଙ୍କ ନିକଟରେ ନୂଆ ଲାଗି ହେବା ପରେ ନୂଆଁ ଖାଇବେ ପୂରା ପଶ୍ଚିମ ଓଡିଶାବାସୀ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସବୁଠି ନୂଆଖାଇ ଭେଟଘାଟ ବନ୍ଦ ରହିଥିବା ବେଳେ କେବଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହାର ମଜା ନେଇପାରିବେ ପଶ୍ଚିମ ଓଡିଶା ବାସୀ ।