ଭୁବନେଶ୍ବର: କବିତା ସଙ୍କଳନ ‘ଦୟାନଦୀ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀଦିନରେ ତାଙ୍କର ଆହୁରି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କବିତା ସଂକଳନ ‘ଦୟାନଦୀ’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। ଏକ ସ୍ୱତନ୍ତ୍ର ଉତ୍ସବରେ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବ। ଡ. ପଣ୍ଡାଙ୍କ ବ୍ୟତୀତ ଅନୁବାଦକ ଗୋପବନ୍ଧୁ ମିଶ୍ରଙ୍କୁ ମନୋଜ ଦାସଙ୍କ ‘ଅମୃତ ଫଳ’ ପୁସ୍ତକର ସଂସ୍କୃତ ଅନୁବାଦ ନିମନ୍ତେ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।
କଳିଙ୍ଗ ଯୁଦ୍ଧୋତ୍ତର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା। ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ପରିବର୍ତ୍ତେ ଇତିହାସ ନଦୀରେ ନୌଯାତ୍ରାର କାବ୍ୟିକ ସମ୍ବେଦନା ଏହି କବିତା ସଙ୍କଳନକୁ ଅଧିକ ଗ୍ରହଣୀୟ କରିପାରିଥିଲା। ନିକଟ ଅତୀତରେ ଏହି କବିତା ସଂକଳନର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ୨୦୨୨ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ସୁପାରିସ ହୋଇଥିବା ଗୋଟିଏ ଉପନ୍ୟାସ, ଗୋଟିଏ ନାଟକ, ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ ଓ ୪ଟି କବିତା ପୁସ୍ତକ ମଧ୍ୟରୁ ଗାୟତ୍ରୀଙ୍କ ‘ଦୟାନଦୀ’କୁ ବିଚାରକମଣ୍ଡଳୀ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି। ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏହି ପୁରସ୍କାର୨୩ଟି ଭାଷାରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଭାଷା ପାଇଁ ପୃଥକ୍ ଜୁରୀ କମିଟି ଗଠନ ହୋଇଥିଲା। ଓଡ଼ିଆ ଭାଷା ପାଇଁ ଡ. ଜୟନ୍ତୀ ରଥ. କ୍ଷୀରୋଦ ପରିଡ଼ା ଏବଂ ସୁଦର୍ଶନ ଆଚାର୍ଯ୍ୟ ଜୁରୀ ସଦସ୍ୟ ରହିଥିଲେ। ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।
ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଚି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାରୋ(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨) ପ୍ରମୁଖ କବିତା ସଂକଳନ ବ୍ୟତୀତ ବିସର୍ଜନ(୨୦୧୫) ଓ ନିଜକୁ ନେଇ ସତ ଗପ (୨୦୧୯) ଗଳ୍ପ ସଂକଳନ ପ୍ରକାଶିତ ହୋଇଛି। ମମ୍ମି ଯାହା ଜାଣେ ନାହିଁ(୨୦୧୬), ରାସ୍ତା (୨୦୨୧), ରିପୋର୍ଟର ଓ ମାୟାଜାଲ ତାଙ୍କର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ପ୍ରବନ୍ଧ ସଂକଳନ ତାଙ୍କର ଅନନ୍ୟ ସୃଷ୍ଟି। ଏହାବ୍ୟତୀତ ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ହିନ୍ଦୀ ଭାଷାରେ, ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।
୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍-ରେସିଡେନ୍ସ’ ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବା ସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲାର ସାଦେଇପୁରର ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା, ନୃସିଂହ ଚରଣ ମଙ୍ଗରାଜ ଓ ଶ୍ରଦ୍ଧାଞ୍ଜଳି ମଙ୍ଗରାଜଙ୍କ ପୁତ୍ରବଧୂ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ଗାୟତ୍ରୀବାଳା ୧୯୭୭ରେ ଜନ୍ମଗ୍ରହଣ କରିଥିଲେ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି ପବ୍ଲିକ ରିଲେସନ୍ ସୋସାଇଟି ଅଫ୍ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।