ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ: ସମର୍ପଣ ଭାବ ନେଇ ସବୁ ବିଭାଗକୁ କାର୍ଯ୍ୟ କରିବାକୁ ପରାମର୍ଶ

ପୁରୀ: ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ପୁରୀର ଟାଉନ୍ ହଲ୍ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ମହାପର୍ବକୁ ତ୍ରୁଟିଶୂନ୍ୟ ଏବଂ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେ.ଭି. ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସମେତ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ କିପରି ସୁରୁଖୁରୁରେ ସମ୍ପନ୍ନ କରାଯିବ ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାସ୍ତାଘାଟ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଜରୁରୀକାଳୀନ ସେବା, ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ଭଳି ପ୍ରମୁଖ ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରିଥିଲେ। ଉତ୍ସବ ଆରମ୍ଭ ହେବା ପୂର୍ବରୁ ସମସ୍ତ ବକେୟା କାର୍ଯ୍ୟ ଶେଷ କରିବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ଉନ୍ନତୀକରଣ, ସ୍ୱାସ୍ଥ୍ୟ ସୁବିଧା ଏବଂ ବ୍ୟାପକ ଟ୍ରାଫିକ୍ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯଦି ସମସ୍ତେ ସେବା ମନୋଭାବ ନେଇ କାର୍ଯ୍ୟ କରନ୍ତି ଏବଂ ବିଭିନ୍ନ ବିଭାଗ, ସେବାୟତ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହେ, ତେବେ ଏଥରର ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ।" ଏହି ଅବସରରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାୟତମାନଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେବାୟତମାନଙ୍କର ପ୍ରତିବଦ୍ଧତା ଯୋଗୁଁ ହିଁ ନୀତିକାନ୍ତି ସର୍ବଦା ଶୃଙ୍ଖଳିତ ଭାବରେ ସମ୍ପନ୍ନ ହୋଇଆସିଛି ଏବଂ ଚଳିତ ବର୍ଷ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପ୍ରଶାସନର ପ୍ରଥମ ପ୍ରାଥମିକତା ବୋଲି ସେ ସ୍ପଷ୍ଟ କରିଥିଲେ।

About The Author: Madhusudan Das