ଭୁବନେଶ୍ୱର: ରାଜ୍ୟରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କ ସାମାଜିକ ଏବଂ ଧାର୍ମିକ ଅଧିକାରକୁ ସୁନିଶ୍ଚିତ କରିବା ଦାବିରେ ଆଜି ରାଜଧାନୀସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ‘ଶାନ୍ତି ସମାରୋହ ମଞ୍ଚ, ଓଡ଼ିଶା’ ପକ୍ଷରୁ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ତଥା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଗାମାଏ ରୀମିଲ ସିଂ ଗୋଇପାଈ ଏବଂ ସମ୍ପାଦକ ମନୋଜ ବାନ୍ଧିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୬ ହଜାରରୁ ଊର୍ଦ୍ଧ୍ୱ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗ ଦେଇଥିଲେ।
ଖ୍ରୀଷ୍ଟିୟାନ ସମୁଦାୟଙ୍କୁ ସାମାଜିକ ବାସନ୍ଦ, ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ଓ ପରିହାସ, ବଳପୂର୍ବକ ପୂଜା ଚାନ୍ଦା ଆଦାୟ, ଆଦିବାସୀମାନଙ୍କ ଉପରେ ମିଥ୍ୟା ଧର୍ମାନ୍ତରୀକରଣ ଅଭିଯୋଗ, ଗ୍ରାମାଞ୍ଚଳରେ ନଳକୂପରୁ ପାଣି ନେବାକୁ ବାରଣ ତଥା ଶବ ସତ୍କାରରେ ବାଧା ସୃଷ୍ଟି ଭଳି ଘଟଣାକୁ ନେଇ ମଞ୍ଚ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି। ଆକ୍ରମଣ କ୍ଷେତ୍ରରେ ପୁଲିସ ପ୍ରଶାସନ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଏଥିସହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଶବ ସତ୍କାର ନିମନ୍ତେ ସ୍ୱତନ୍ତ୍ର ସରକାରୀ ଜମି ପ୍ରଦାନ କରିବାକୁ ମଞ୍ଚ ଦାବି କରିଛି।
ଏହି ଆନ୍ଦୋଳନକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜଣାଯାଇଛି। ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ସାହୁ, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତୀର୍କୀ, ଶ୍ରୀମତୀ ପରୱାନା ପରବିନ୍ସ ଏବଂ ସଂଖ୍ୟାଲଘୁ ସେଲ୍ ସଭାପତି ଶେଖ ନିଜାମ ଉଦ୍ଦିନ ଧାରଣାସ୍ଥଳରେ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ।
କାର୍ୟ୍ୟକ୍ରମ ପରେ ମଞ୍ଚର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ମଞ୍ଚ ସଭାପତି ପ୍ରକାଶ କରିଛନ୍ତି। ସମାବେଶକୁ ତ୍ରୀଲୋଚନ ଦଙ୍ଗ, ରୁବେନ ବାନ୍ଦିଆ, ଗଣେଶରାମ ସିଂଙ୍କୁ, ଜାମାଦାର ବାଲମୁଚୁ, ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ, ଯଶୀପୁର ବ୍ଲକ ଅସ୍ତକୁମାର ସରପଞ୍ଚ ପ୍ୟାରୀ ଟୁଟୀ, କୁସୁନୁ ଗିଲୁଆ, ଭୁବନ ହେମ୍ବ୍ରମ, ମୁରଲୀ ବାନାରା, ଲମ୍ବୋଦର ଗୋଇପାଈ ଓ ସାଧୁଚରଣ ବିରୁଆ ପ୍ରମୁଖ ପରିଚାଳନା କରିଥିଲେ।