ବାରଙ୍ଗ:ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇଟାନଗର ଚିଡିଆଖାନାରୁ ଆସିଥିବା ଏକ ମାଈ ଚିତା ବିରାଡିର ବୁଧବାର ମୃତ୍ୟୁ ଘଟିଛି । ଅରୁଣାଚଳ ପ୍ରଦେଶର ଇଟାନଗରର ଚିଡିଆଖାନାରୁ ହଳେ (ମାଈ ଓ ଅଣ୍ଡିରା) ଚିତା ବିରାଡିକୁ ଅଣାଯାଇଥିଲା । ସେମାନେ ଗତ ମଙ୍ଗଳବାର ଦିନ ଆସି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲାପରେ ଏମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା କ୍ୱାରେଣ୍ଟାଇନରେ ସ୍ୱାସ୍ଥ୍ୟ ପରିକ୍ଷା ଲାଗି ରଖାଯାଇଥିଲା ।ହେଲେ ଆସିବାର ୨୪ଘଣ୍ଟା ନପୁରୁଣୁ ମାଈ ଚିକା ବିରାଡିର ବୁଧବାର ମୃତ୍ୟୁ ଘଟିଛି । ଏହି ଚିତା ବିରଡିର ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।
ଖବର ଅନୁଯାୟୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ନନ୍ଦନକାନନରେ ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ କତୃପକ୍ଷ ଅଦଳବଦଳ ପ୍ରକ୍ରିୟାରେ କେନ୍ଦ୍ରିୟ ଚିଡିଆଖାନା ନିର୍ଦ୍ଦେଶକ୍ରମେ ଅରୁଣାଚଳ ପ୍ରଦେଶର ଇଟାନଗର ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ପଶୁ ବିନିମୟ ସୁଗମ ହୋଇଥିଲା। ଫଳରେ ନନ୍ଦନକାନନରୁ ୨ଟି ପ୍ରଜାତିର ୫ଟି ଜୀବ ହଳେ ସାଧାରଣ ରଙ୍ଗର ବାଘ(ଅଣ୍ଡିରା ଓ ମାଈ), ୩ଟି କୁମ୍ଭୀର ଇଟାନଗର ଚିଡିଆଖାନାକୁ ଦିଆଯାଇଥିଲା । ଏହାର ବଦଳରେ ସେଠାରୁ ଜୀବଜନ୍ତୁଙ୍କୁ ଆଣିବା ଲାଗି ନନ୍ଦନକାନନ ଏସିଏଫ ଡ.ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଡ. ସନ୍ତୋଷ ଗୁପ୍ତା,ଫରେଷ୍ଟ ଗାଡ ସୁଶାନ୍ତ ବେହେରା ,ଜନ୍ତୁ ରକ୍ଷକ ପ୍ରଫୁଲ ବାଗ.ଅସ୍ଥାୟୀ କର୍ମଚାରୀ ରମେଶ ଭୋଇ ଓ କୁନା ସାମଲ ଚଳିତ ମାସ ୧୪ତାରିଖରେ ଏକ ୬ଜଣିଆ ଟିମ ଅରୁଣାଚଳ ପ୍ରଦେଶର ଇଟାନଗରକୁ ଗସ୍ତ କରିଥିଲେ । ମଙ୍ଗଳବାର ସନ୍ଧ୍ୟା ସାଢେ ୮ରେ ନନ୍ଦନକାନନରେ ୨ପ୍ରଜାତିର ୪ ଜୀବଜନ୍ତୁ ଆଣି ପହଞ୍ଚିଥିଲେ । ତହିଁ ମଧ୍ୟରୁ ହଲେ ହୁଲୁକ ଗିବନ(ମାଈ ଓ ଅଣ୍ଡିରା) ଓ ହଳେ (ମାଈ ଓ ଅଣ୍ଡିରା) ଚିତା ବିରାଡି ଅଣାଯାଇଥିଲା ।