ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସିଆଲ ଟ୍ୱିଟର୍ ପେଜ୍ର ଫଲୋଅର୍ ସଂଖ୍ୟା ୧୦ ଲକ୍ଷ ମାଇଲ୍ଖୁଣ୍ଟ ଅତିକ୍ରମ କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଫଲୋଅର୍ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର୍ ପେଜ୍ ଖୋଲାଯାଇଥିଲା। ତେବେ ଏହାର ବର୍ଷକ ପୂର୍ବରୁ ଅର୍ଥାତ୍ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ସେଥିରେ ଏବେ ୩୦ ଲକ୍ଷ ୨୦ ହଜାରରୁ ଅଧିକ ଫଲୋଅର୍ ଅଛନ୍ତି। ଦିନକୁ ଦିନ ଉଭୟ ପେଜ୍ରେ ଫଲୋଅର୍ ସଂଖ୍ୟା ବଢ଼଼ି ଚାଲିଛି।
କ୍ରୀଡ଼ା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ବିକାଶର ପାହାଚ ଚଢ଼ି ଚାଲିଥିବା ବେଳେ ଜାତୀୟ ରାଜନୀତିରେ ନବୀନଙ୍କ ଗୁରୁତ୍ୱ ବୃଦ୍ଧି ପାଉଛି। ସଫଳ ନେତୃତ୍ୱ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ନିୟମିତ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରଶଂସା କରୁଛନ୍ତି। ଏପରିସ୍ଥଳେ ଦେଶ ବିଦେଶର ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ସାଧାରଣ ଜନତା ଟ୍ୱିଟର୍ ପେଜ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଛନ୍ତି। ତେବେ ଗତବର୍ଷରୁ ସଫଳ କୋଭିଡ୍ ପରିଚାଳନା ଏବଂ ନିକଟରେ ଟୋକିଓ ଅଲିମ୍ପିକ୍ରେ ଭାରତୀୟ ହକି ଦଳର ବିଜୟ ପରେ ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଢେର ବୃଦ୍ଧି ପାଇଛି।