ଭୁବନେଶ୍ବର : ଆଜିଠୁ ଆରମ୍ଭ ହେଲା ଚଳିତ ବର୍ଷର ଇକୋ ରିଟ୍ରିଟ୍ । ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ ।
କରୋନା କାଳରେ ଉଦାସ ପଡିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ପୁଣିଥରେ ହସି ଉଠିବ। ରାଜ୍ୟ ତଥା ଦେଶ-ବିଦେଶରୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ। ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ସାଙ୍ଗକୁ ଦୌଡ଼ିବ ବିକାଶର ଧାରା। ପ୍ରକୃତି କୋଳରେ ଭିନ୍ନ ଅନୁଭୂତି ଦେବାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ବିଭାଗ କରିଥିବା ପ୍ରୟାସ ବେଶ ଆଦୃତ ହୋଇଛି। ପୂର୍ବ ବର୍ଷ ଗୁଡିକ ଭଳି ଏଥର ବି ପର୍ଯ୍ୟଟକମାନେ ଚାହିଁ ବସିଥିଲେ କେବେ ଆରମ୍ଭ ହେବ ପର୍ଯ୍ୟଟନର ମହାପର୍ବ ଇକୋ-ରିଟ୍ରିଟ୍। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଏ ହୋଇଥିଲା। ଚଳିତ ବର୍ଷ ପୂର୍ବ ୫ସ୍ଥାନ କୋଣାର୍କ,ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସହ ଦୁଇଟି ନୂଆ ସ୍ଥାନ କୋରାପୁଟ ଓ ଗଞ୍ଜାମ ଯୋଡା ଯାଇଛି।
କୋଭିଡ୍ କଟକଣାରେ ପ୍ରକୃତି କୋଳରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ସେହିପରି ଭିତରକନିକା ପେଣ୍ଠ ବେଳାଭୂମିରେ ହୋଇଛି ଇକୋ ରିଟ୍ରିଟ୍ । ଦାରିଙ୍ଗବାଡ଼ି, ସମ୍ବଲପୁର ଆଦି ସ୍ଥାନରେ ହୋଇଥିବା ଇକୋ-ରିଟ୍ରିଟ୍ର ମଜା ନେଇ ପାରିବେ ପର୍ଯ୍ୟଟକ ।ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ ।
ଅନ୍ୟପଟେ ୨୦୨୬ ମସିହା ପର୍ଯ୍ୟନ୍ତ ଏହି ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ କରିବାକୁ ବିଭାଗ ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଯଦି ଚଳିତ ବର୍ଷ ଏହିସବୁ ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଠିକ୍ ରୁହେ ଏବଂ ଉତ୍ସବ ସଫଳ ହୁଏ, ଆଗାମୀ ୫ ବର୍ଷ ଲାଗି ଉତ୍ସବ ସ୍ଥଳ ଅପରିବର୍ତିତ ରହିବ। ପର୍ଯ୍ୟଟକ ବିଭାଗର ଜଣେ ଅଧିକାରୀ ସୂଚନା ମୁତାବକ, ଏଥର ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକଙ୍କ ପସନ୍ଦ ରହିଛି କୋଣାର୍କ ଏବଂ ଭିତରକନିକା। ସର୍ବାଧିକ ପର୍ଯ୍ୟଟକ ଉକ୍ତ ସ୍ଥଳ ଲାଗି ବୁକିଂ କରିଛନ୍ତି। ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ସୁରକ୍ଷା, ନିରାପତ୍ତା ସହିତ ବିଭିନ୍ନ ସୁବିଧାସୁଯୋଗ ରହିଛି। ବେଳାଭୂମି ଓ ପ୍ରାକୃତିକ ପରିବେଶଭରା ଘଞ୍ଚ ଜଙ୍ଗଲର ସବୁଜବନାନୀରେ ବିଳାସପୂର୍ଣ୍ଣ ରହଣି, ଦୁଃସାହସିକ କ୍ରୀଡ଼ା କୌଶଳ, ଜଳକ୍ରୀଡ଼ା, ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ଓ ପାନୀୟ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।
କଟେଜ୍ ଦର ୮,୫୦୦ରୁ ୨୫ ହଜାର
ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍ର ଭିନ୍ନ ଭିନ୍ନ ସ୍ଥାନ ଲାଗି ବୁକିଂ ଦର ବି ଅଲଗା ଅଲଗା ସ୍ଥିର କରିଛି । କୋଣାର୍କ-ରାମଚଣ୍ଡୀ ବେଳାଭୂମି ପାଇଁ ପ୍ରତି ରୁମ୍ ଓ ପ୍ରତି ରାତି ପିଛା ଡିଲକ୍ସ କଟେଜ୍ ୧୦ ହଜାର, ପ୍ରିମିୟମ୍ ସ୍କ୍ରିସ୍ କଟେଜ୍ ୧୩ ହଜାର, ରୟାଲ ଲକ୍ଜୁରୀ ସ୍ଟିସ୍ କଟେଜ ୧୮ହଜାର ଓ ପ୍ରେସିଡେନ୍ସିଆଲ୍ ସ୍ବିଟସ୍ ପାଇଁ ୨୫ ହଜାର ଟଙ୍କା ରହିଛି। ପ୍ରତି ରୁମ୍ରେ ୨ ଜଣ ବରିଷ୍ଠ ଲୋକ ରହି ପାରିବେ କିନ୍ତୁ ପ୍ରେସିଡେନ୍ସିଆଲ ସ୍ବିଟସ୍ରେ ୪ଜଣ ରହିବାର ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ରହିଛି। ସାତକୋଶିଆ, କୋରାପୁଟ ଓ ଦାରିଙ୍ଗବାଡ଼ିରେ ଡିଲକ୍ସ ସିସ୍ କଟେଜ୍ ୮୫୦୦ ଓ ପ୍ରିମିୟମ୍ କଟେଜ ୧୨ ହଜାର ଟଙ୍କା ରହିଛି। ଭିତରକନିକା ଓ ଗଞ୍ଜାମର ପତି ସୋନପୁରରେ ଡିଲକ୍ ସ୍ଟିସ୍ କଟେଜ୍ ୧୦ ହଜାର ଓ ପ୍ରିମିୟମ୍ ସ୍ଵସ୍ କଟେଜ୍ ୧୩ ହଜାର ଟଙ୍କା ରହିଛି। ହୀରାକୁଦରେ ପ୍ରିମିୟମ୍ କଟେଜ ୧୨ ହଜାର ଟଙ୍କା ରହିଛି ।