ଭୁବନେଶ୍ୱର: ବଙ୍ଗୋପାସଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଲାଗି ରହିଛି। ଆକାଶ ମେଘାଚ୍ଛନ୍ନ ହେତୁ ତାପମାତ୍ରା ମଧ୍ୟ ତଳ ମୁହାଁ ହୋଇଛି। ଯଦିଓ ଏହି ଲଘୁଚାପର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ; ମାତ୍ର ଏହାଦ୍ୱାରା ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ସମ୍ଭାବନା ଥିବାରୁ ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଅନୁଭୂତ ହେବାର ଆଶଙ୍କା ରହିଛି। ଗୁରୁବାର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲ୍ଲାରେ ଏହି ସ୍ଥିତି ସୃଷ୍ଟି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେଥିରୁ ୧୯ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି, ଘଡ଼ଘଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।