ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଆଠଗଡ଼: ପୁଣି ଥରେ ବିବାଦରେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା। ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିବା ଅଭିଯୋଗରେ ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆଠଗଡ଼ କଇଥ ଛକ ଠାରେ ଏକ ଯାତ୍ରା ପରିବେଷଣ ଚାଲିଥିବା ବେଳେ ଉତ୍ତ୍ୟକ୍ତ ଦର୍ଶକ ମଞ୍ଚ ଉପରକୁ ଚେୟାର ଏବଂ ପାଣି ବୋତଲ ମାଡ଼ କରିଛନ୍ତି।

ସୂଚନା ଅନୁଯାୟୀ, ନୂଆ କରି ଗଢ଼ି ଉଠିଥିବା ତାରିଣୀ ଗଣନାଟ୍ୟ ପକ୍ଷରୁ ରବିବାର ଦିନ ଆଠଗଡ଼ କଇଥ ଛକ ଠାରେ ଯାତ୍ରା ପରିବେଷଣ କରାଯାଉଥିଲା। ଏହି ନାଟକର ଶୀର୍ଷକ ଥିଲା “ନିଶା ନିଶା ରାତି”। ଏହି ନାଟକରେ ଅଭିନେତ୍ରୀ ନିଶା ମହାରଣା ଅଭିନୟ କରୁଥିଲେ। ମଞ୍ଚ ଉପରେ ସେ ନିଜର କଳା ପ୍ରଦର୍ଶନ କରୁଥିବା ବେଳେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଦେଖି ଦର୍ଶକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।

ଅଶ୍ଳୀଳ ତଥା ଆପତ୍ତିଜନକ ଦୃଶ୍ୟକୁ ସହ୍ୟ ନକରି ପାରି ଦର୍ଶକମାନେ ସିଧାସଳଖ ଷ୍ଟେଜ୍ ଉପରକୁ ଆକ୍ରମଣ କରିଥିଲେ। ଦର୍ଶକଙ୍କ ଦ୍ୱାରା ମଞ୍ଚ ଉପରକୁ ଚେୟାର ଏବଂ ପାଣି ବୋତଲ ମାଡ଼ କରାଯାଇଥିଲା। ଏହି ଘଟଣା ଯୋଗୁଁ ଯାତ୍ରା ପେଣ୍ଡାଲରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। 

About The Author: Madhusudan Das