ଶିକ୍ଷାବର୍ଷ ଆରମ୍ଭ ହେବାର ୪ମାସ ପରେ ବି ମିଳୁନି ସିବିଏସ୍‌‌ଇ ପୁସ୍ତକ

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବାର ୪ମାସ ବିତିଲାଣି। ହେଲେ ଏବେ ଯାଏଁ ବହି ଦେଖିନାହାନ୍ତି ସିବିଏସ୍‌‌ଇ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ। ନ୍ୟାସନାଲ କାଉନସିଲ୍‌‌ ଅଫ୍‌‌ ଏଜୁକେସନାଲ୍‌‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌‌ସିଇଆର୍‌‌ଟି) ଦ୍ୱାରା ପ୍ରକାଶିତ ସିବିଏସ୍‌‌ଇ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ହେଉନାହିଁ। ଅଭିଭାବକମାନେ ବାଧ୍ୟ ହୋଇ ଦୁଇଗୁଣା ଅର୍ଥରେ ପୁରୁଣା ବହି କିଣୁଛନ୍ତି। ସେହିପରି ପ୍ରାୟ ଚାରିଗୁଣା ଅଧିକ ଅର୍ଥ ଦେଇ ଅନ୍‌‌ଲାଇନ୍‌‌ରେ ବହି ମଗାଉଛନ୍ତି। ଆବଶ୍ୟକ ବହି ଯୋଗାଇବାରେ ଏନ୍‌‌ସିଇଆର୍‌‌ଟି ବିଫଳ ହୋଇଥିବାବେଳେ […]

ଭୁବନେଶ୍ୱର : ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବାର ୪ମାସ ବିତିଲାଣି। ହେଲେ ଏବେ ଯାଏଁ ବହି ଦେଖିନାହାନ୍ତି ସିବିଏସ୍‌‌ଇ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ। ନ୍ୟାସନାଲ କାଉନସିଲ୍‌‌ ଅଫ୍‌‌ ଏଜୁକେସନାଲ୍‌‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌‌ସିଇଆର୍‌‌ଟି) ଦ୍ୱାରା ପ୍ରକାଶିତ ସିବିଏସ୍‌‌ଇ ପାଠ୍ୟପୁସ୍ତକ ବଜାରରେ ଉପଲବ୍ଧ ହେଉନାହିଁ। ଅଭିଭାବକମାନେ ବାଧ୍ୟ ହୋଇ ଦୁଇଗୁଣା ଅର୍ଥରେ ପୁରୁଣା ବହି କିଣୁଛନ୍ତି। ସେହିପରି ପ୍ରାୟ ଚାରିଗୁଣା ଅଧିକ ଅର୍ଥ ଦେଇ ଅନ୍‌‌ଲାଇନ୍‌‌ରେ ବହି ମଗାଉଛନ୍ତି। ଆବଶ୍ୟକ ବହି ଯୋଗାଇବାରେ ଏନ୍‌‌ସିଇଆର୍‌‌ଟି ବିଫଳ ହୋଇଥିବାବେଳେ ବହିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ବହି ଛାପିବାରେ ଏନ୍‌‌ସିଇଆର୍‌‌ଟିର ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନ୍‌‌ଲାଇନ୍‌‌ରେ କିଛି ପାଠ୍ୟପୁସ୍ତକର ନକଲ ବା ପିଡିଏଫ୍‌‌ ଛାଡ଼ିଥିଲା। ଏହାର ସୁଯୋଗ ନେଇ ଅନେକ ପ୍ରକାଶନୀ ସଂସ୍ଥା ନିଜର ଲୋଗୋ ବ୍ୟବହାର କରି ପୁସ୍ତକ ଛାପି ବଜାରରେ ବିକ୍ରି କରିଥିଲେ। ଏନ୍‌‌ସିଇଆର୍‌‌ଟି ନଜରକୁ ଆସିବା ପରେ ନକଲି ବହି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ବ୍ୟାପକ ପରିମାଣରେ ନକଲି ବହି ମଧ୍ୟ ଜବତ କରାଯାଇଥିଲା। ଫଳରେ ବଜାରରୁ ସିବିଏସ୍‌‌ଇ ବହି ଗାଏବ ହୋଇଗଲା। ଆବଶ୍ୟକ ଅନୁସାରେ ଓ ସଠିକ ସମୟରେ ବହି ଯୋଗାଇବାରେ ଏନ୍‌‌ସିଇଆର୍‌‌ଟି ଅସମର୍ଥ ହେବା ଫଳରେ ପୁରୁଣା ବହିର ଚାହିଦା ଆକାଶଛୁଆଁ ହେଲା। ପ୍ରାୟ ଦୁଇଗୁଣା ଅର୍ଥରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ କିଣିବାକୁ ବାଧ୍ୟ ହେଲେ।

ଏହା ମଧ୍ୟ ପର୍ଯ୍ୟାପ୍ତ ହେଲାନାହିଁ ଓ ସମ୍ପ୍ରତ୍ତି ବଜାରରେ ବହି ଉପଲବ୍‌‌ଧ ହେଉନାହିଁ। ଅନ୍‌‌ଲାଇନ୍‌‌ରେ ବିଭିନ୍ନ ଶ୍ରେଣୀର ବହି ଉପଲବ୍ଧ ହେଉଛି। ହେଲେ ଆକାଶ ଛୁଆଁ ଦର ଛାତ୍ରଛାତ୍ରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଧାର୍ଯ୍ୟ ଦରଠାରୁ ପ୍ରାୟ ଚାରି ଗୁଣା ଅଧିକ ଦାମ୍‌‌ ହୋଇଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ନିଅଣ୍ଟିଆ ବହିକୁ ନେଇ ଭିନ୍ନ ଭିନ୍ନ ଶୈଳୀରେ ବିଦ୍ୟାଳୟଗୁଡ଼ିକ ନିଜ ପିଲାଙ୍କୁ ପାଠ୍ୟପୁସ୍ତକ ଯୋଗାଉଛନ୍ତି। ରାଜଧାନୀର ଏକ ପ୍ରମୁଖ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସେମାନେ ଦିଲ୍ଲୀରୁ କଳାବଜାରରେ ମିଳୁଥିବା ବହି ଆଣି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିପାଇଁ ବିଦ୍ୟାଳୟ ସମେତ ଅଭିଭାବକମାନେ ବହୁଗୁଣା ଅଧିକ ଅର୍ଥ ପ୍ରଦାନ କରିଛନ୍ତି।

ସେହିପରି ଅନ୍ୟ ଏକ ଘରୋଇ ବିଦ୍ୟାଳୟର କହିବା ଅନୁଯାୟୀ, ସମସ୍ତ ଶିକ୍ଷକଙ୍କ ନିକଟରେ ଗୋଟିଏ ଲେଖାଏଁ ବହି ଅଛି। ପାଠପଢ଼଼ା ହେବାକୁ ଥିବା ବିଷୟକୁ ପୂର୍ବଦିନ ପିଡିଏଫ୍‌‌ କରି ଛାତ୍ରଛାତ୍ରୀଙ୍କୁ ହ୍ୱାଟସ୍‌‌ଆପ୍‌‌ ମାଧ୍ୟମରେ ଦିଆଯାଉଛି। ସେଥିରୁ ସେମାନେ ଅଧ୍ୟୟନ କରୁଛନ୍ତି। ଶିକ୍ଷାବିତଙ୍କ କହିବା କଥା ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ପଢ଼଼ି ଯେପରି ମନେ ରଖିପାରିବେ ବା ଅଧିକ କିଛି ଜାଣି ପାରିବେ ମୋବାଇଲ୍‌‌ ବା କମ୍ପ୍ୟୁଟରରେ ପଢ଼଼ି ସେପରି ମନେ ରଖିପାରିବେ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସଙ୍କୁଚିତ ହେବା ସହ ପାଠ୍ୟପୁସ୍ତକ ପଢ଼଼ିବା ଆଗ୍ରହ ମଧ୍ୟ କମିକମି ଯାଉଛି। ମୌଳିକ ଜ୍ଞାନ ଓ ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ସରିବା ପରେ ମେ’ ୩୧ ତାରିଖ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ବହି ଉପଲବ୍ଧ ହେବ ବୋଲି ଏନ୍‌‌ସିଇଆର୍‌‌ଟି ପକ୍ଷରୁ କୁହାଯାଇଥିଲା। ହେଲେ ଜୁନ୍‌‌ ସରି ଜୁଳାଇ ମାସ ସରିଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ପାଠ୍ୟପୁସ୍ତକ ବଜାରରେ ମିଳୁନାହିଁ। ବିନା ବହିରେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷାଦାନ ସମ୍ଭବ ନୁହେଁ ବୋଲି ମଧ୍ୟ ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି।

About The Author: The Sakala