ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର ସତ୍ୟଜିତ ବେହେରା । ଜଣେ NGO କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଦରମା ବିଲ୍ ପାଇଁ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ନେଉଥିଲେ ଲାଞ୍ଚ । ଡାକ୍ତର ସତ୍ୟଜିତ୍ ବେହେରା ହସ୍ପିଟାଲରେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାର୍ଯ୍ୟରତ ଥିଲେ।

ଭିଜିଲାନ୍ସର ସୂଚନା ଅନୁଯାୟୀ, କ୍ୟାପିଟାଲ୍ ହସ୍ପିଟାଲର କାଜୁଆଲଟି ବିଭାଗକୁ ଆସୁଥିବା ଅସହାୟ ଓ ପରିଚୟହୀନ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଉକ୍ତ ଏନଜିଓକୁ ନିୟୋଜିତ କରାଯାଇଥିଲା। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଜୁନ୍ ଏବଂ ଜୁଲାଇ ୨୦୨୬ ମସିହାର ଦରମା ପ୍ରଦାନ ନିମନ୍ତେ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଥିଲା। ଏଥିପାଇଁ ଡାକ୍ତର ବେହେରା ଗତ ଜୁନ୍ ମାସରୁ ଉକ୍ତ ଏନଜିଓ କର୍ମକର୍ତ୍ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରି ଆସୁଥିଲେ। ଡାକ୍ତରଙ୍କ ହଇରାଣ ହରକତର ଶିକାର ହେବା ପରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍ ସୋମବାର ଦିନ ଏକ ଯୋଜନାବଦ୍ଧ ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଡାକ୍ତର ସତ୍ୟଜିତ୍ ବେହେରା ଙ୍କୁ ଭିଜିଲାନ୍ସ ଅଧିକାରୀମାନେ ରଙ୍ଗେ ହାତରେ ଧରିଥିଲେ ଏବଂ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତରଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। 

About The Author: Madhusudan Das