ବଲାଙ୍ଗିର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତୁଳନାରେ ଅଧିକ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି। ମାତ୍ର ବାସ୍ତବିକତା ହେଉଛି ଭିନ୍ନ, ଆୟୁଷ୍ମାନରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଆ ରୋଗୀ କିପରି ହଇରାଣ ହରକତ ହୋଇଛନ୍ତି ତାହା ଶୁଣିବା ପରେ ଆୟୁଷ୍ମାନକୁ ଲୋକମାନେ ଅଭିଶାପ କହିବା ଆରମ୍ଭ କରିଛନ୍ତି । ଆୟୁଷ୍ମାନ ଯୋଜନା ଦ୍ୱାରା ପ୍ରଭାବିତ ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମୁମ୍ବାଇରୁ ଭିଡିଓ ଜରିଆରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍କେୱାଇ ଯୋଜନାରେ ପୂର୍ବରୁ ସେମାନେ ଅଧିକ ସୁବିଧା ପାଉଥିବାବେଳେ ବର୍ତ୍ତମାନ ଆୟୁଷ୍ମାନ ଯୋଜନାରେ ତାହା ମିଳୁ ନ ଥିବା ଅଭିଯୋଗ କରିଛନ୍ତି।
କଟକ ଜିଲ୍ଲାର କର୍କଟ ରୋଗୀ ସୁକାନ୍ତ କୁମାର ସାହୁ। ରୋଗରେ ଆକ୍ରାନ୍ତ ହେବା ପରେ ବିଏସ୍କେୱାଇ ଯୋଜନା ଜରିଆରେ ମୁମ୍ବାଇରେ ଚିକିତ୍ସିତ ହୋଇଥିଲେ। ଏହି କାର୍ଡକୁ ବ୍ୟବହାର କରି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ ପର୍ଯ୍ୟନ୍ତ ସବୁତକ ଖର୍ଚ୍ଚ ତତ୍କାଳୀନ ରାଜ୍ୟ ସରକାର ବହନ କରିଥିଲେ। ଅପରେସନ ପରେ ନିୟମିତ ଚିକିତ୍ସା ମଧ୍ୟ କାର୍ଡ ଦ୍ୱାରା କରୁଥିଲେ। କିନ୍ତୁ ଏହା ଆୟୁଷ୍ମାନ କାର୍ଡ ହେବା ପରେ ମୁମ୍ବାଇରେ ଆଉ ପୂର୍ବ ଭଳି ସେବା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲାର ଦୀପକ କୁମାର ସେନାପତି ନିଜର କର୍କଟ ପୀଡ଼ିତ ସ୍ତ୍ରୀଙ୍କୁ ମୁମ୍ବାଇରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ତାଙ୍କ କହିବା ଅନୁସାରେ ବିଏସ୍କେୱାଇ ଯୋଜନାରେ ମୁମ୍ବାଇକୁ ଆସି ସବୁପ୍ରକାର ପରୀକ୍ଷାଠାରୁ ଆରମ୍ଭ କରି ଅପରେସନ, ଔଷଧ ସବୁ ମାଗଣାରେ ମିଳୁଥିଲା କିନ୍ତୁ ଆଉ ତାହା ମିଳୁନାହିଁ। ଆୟୁଷ୍ମାନ କାର୍ଡ କେବଳ ଅପରେସନ, କେମୋ ଓ ଲାଇଟ୍ ପାଇଁ ବ୍ୟବହାର ହେଉଛି। ବାକି ସବୁ ପରୀକ୍ଷା, ଔଷଧ ପାଇଁ ଥରେ ଆସିଲେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଜଣେ ରୋଗୀ ସମ୍ପର୍କୀୟ ମଧ୍ୟ ଆୟୁଷ୍ମାନ କାର୍ଡର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ବିଏସ୍କେୱାଇ କାର୍ଡ ନେଇ ଗଲା ଚିକିତ୍ସା ହେବାସହ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନ ଥିଲା। କେବଳ ରହିବା ପାଇଁ ଖର୍ଚ୍ଚ ହେଉଥିଲା। କିନ୍ତୁ ଏବେ ଆୟୁଷ୍ମାନ ଯୋଜନାରେ ହୋଇଥିବା ପରିବର୍ତ୍ତନ ଅନୁସାରେ ମୁମ୍ବାଇରେ ଥିବା ଡାକ୍ତରଖାନା ମାନଙ୍କରେ ସବୁ ସୁବିଧା ଦିଆଯାଉନାହିଁ। ଏହିଭଳି ଅନେକ ରୋଗୀ ମୁମ୍ବାଇ ନିୟମିତ ଯାଇ ଚିକିତ୍ସିତ ହେଉଥିବା ବେଳେ ଆୟୁଷ୍ମାନ ଯୋଜନା କାର୍ଡ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।