କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ଖୋଲିଲେ ‘ମେମୋରୀ ଚିପ୍‍’ର ଗୁମର

ଭୁବନେଶ୍ୱର/ନୟାଗଡ଼: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଆଗରେ ‘ମେମୋରୀ ଚିପ୍‍’ର ରହସ୍ୟ ଖୋଲିଛନ୍ତି ଶର୍ମିଷ୍ଠା ରାଉତ। ପୁରା ହତ୍ୟାକାଣ୍ଡର ନକ୍ସା ସେ ପ୍ରସ୍ତୁତ କରିଥିଲେ ଓ ନିରଞ୍ଜନ ସେଠୀ ନିର୍ଦ୍ଦେଶକ ଭାବରେ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ଝୁନା, ରଞ୍ଜନ ଓ ଅନ୍ୟମାନେ ଥିଲେ ସହ କଳାକାର। ଗିରଫ ହେବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରିବା ବେଳେ ଶର୍ମିିଷ୍ଠା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ‘ମୋମେରୀ […]

ଭୁବନେଶ୍ୱର/ନୟାଗଡ଼: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଆଗରେ ‘ମେମୋରୀ ଚିପ୍‍’ର ରହସ୍ୟ ଖୋଲିଛନ୍ତି ଶର୍ମିଷ୍ଠା ରାଉତ। ପୁରା ହତ୍ୟାକାଣ୍ଡର ନକ୍ସା ସେ ପ୍ରସ୍ତୁତ କରିଥିଲେ ଓ ନିରଞ୍ଜନ ସେଠୀ ନିର୍ଦ୍ଦେଶକ ଭାବରେ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ଝୁନା, ରଞ୍ଜନ ଓ ଅନ୍ୟମାନେ ଥିଲେ ସହ କଳାକାର। ଗିରଫ ହେବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରିବା ବେଳେ ଶର୍ମିିଷ୍ଠା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ‘ମୋମେରୀ ଚିପ୍‍’ରେ ନିରଞ୍ଜନଙ୍କର କିଛି ଆପତ୍ତିଜନକ ଭିଡ଼ିଓ ଥିବା ସେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିବା ଜଣାପଡ଼ିଛି।

୩ ଦିନିଆ ରିମାଣ୍ଡରେ ଥିବା ଶର୍ମିଷ୍ଠାଙ୍କଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି କ୍ରାଇମବ୍ରାଞ୍ଚ। ମେମୋରି ଚିପରେ ନିରଞ୍ଜନଙ୍କ ଭିଡିଓ ଥିବା ସେ ସ୍ୱୀକାର କରିଥିଲେ ହେଁ ଭିଡ଼ିଓ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି କହି ନାହାନ୍ତି। ଫଳରେ ମେମୋରୀ ଚିପ୍‍ରେ କିଛି ଆପତ୍ତିଜନକ ଘଟଣାର ରେକର୍ଡ଼ିଂ ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଛି। ଆଗକୁ ରିମାଣ୍ଡ ଅବଧି ୨ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ସତ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। ମେମୋରୀ ଚିପର ମୂଳ ଖୋଜି ଖୋଜି ନାକେଦମ କ୍ରାଇମବ୍ରାଞ୍ଚକୁ ଏହାର ସୁରାକ ମିଳିନାହିଁ। ଯେଉଁଥିପାଇଁ ଜଣେ ଯୁବକକୁ ହତ୍ୟା କରାଯାଇଛି ସେହି ଚିପ୍‍ ରେ କି ଦୃଶ୍ୟ ରହିଛି ତାହା ଏବେ ବି କ୍ରାଇମବ୍ରାଞ୍ଚ ପାଇଁ ଅବୋଧ୍ୟ ରହିଛି। ୩ ଦିନିଆ ରିମାଣ୍ଡ ଅବଧି ଭିତରେ ଶର୍ମିଷ୍ଠା ରାଉତ ଓ ଝୁନା ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁ ବୁଲାଇଥିଲେ। ଏବେ ପୁଣି ୩ଦିନିଆ ରିମାଣ୍ଡରେ ଆଣି ଶର୍ମିଷ୍ଠା ଏବଂ ଝୁନାଙ୍କୁ ମୁହାଁମୁହିଁ ମାରାଥନ୍‍ ଜେରା କରାଯାଇଛି। ଗୋଟିଏ ଟେବୁଲରେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଭୋଇଙ୍କୁ ବସାଇ ମୁହାଁମୁହଁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ପୂର୍ବରୁ ମିଛ କହୁଥିବା ଶର୍ମିଷ୍ଠାଙ୍କଠାରୁ ଶେଷରେ ସତ ଉଗାଳିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। କିନ୍ତୁ ଶର୍ମିଷ୍ଠା ମଝିରେ ମଝିରେ ଓଲଟାପାଲଟା କଥା କହୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହି ମେମୋରୀ ଚିଫ୍‍ରେ କଣ ଥିଲା, ସେ ବିଷୟରେ ଶର୍ମିଷ୍ଠା ଏବଂ ଝୁନାଙ୍କୁ ମଙ୍ଗଳବାର ଜେରା କରାଯିବ।

ଅନ୍ୟପଟରେ ସମ୍ପୂର୍ଣ୍ଣ ଅଫିସରୁ ଜବତ କମ୍ପ୍ୟୁଟରରୁ କିଛି ତଥ୍ୟ ମିଳିଛି। କ୍ରାଇମ୍‍ବ୍ରାଞ୍ଚ ସମସ୍ତଙ୍କୁ ଗିରଫ କରିବା ପୂର୍ବରୁ ଉକ୍ତ କମ୍ପ୍ୟୁଟରରୁ ୬୨ଟି ଫାଇଲ୍‍କୁ ନଷ୍ଟ କରାଯାଇଛି। ତେଣୁ କମ୍ପ୍ୟୁଟରକୁ ଜବତ କରାଯିବା ପରେ ଡିଲିଟ୍‍ କରାଯାଇଥିବା ଫାଇଲ୍‍କୁ ପୁନଃ ଫେରାଇ(ରିକ୍‍ଭରୀ) କରାଯାଇଛି। ସେହିପରି ଜବତ ଡାଏରୀ ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା। ନିରଞ୍ଜନ ଉକ୍ତ ଡାଏରୀରେ ତାଙ୍କ ପାଇଁ ପ୍ରେମ କବିତା ଲେଖୁଥିଲେ ଓ ଏହାକୁ ପଢ଼ିବା ପାଇଁ ଶର୍ମିଷ୍ଠାକୁ ଦେଇଥିଲେ ନିରଞ୍ଜନ। ହେଲେ ମାନସ ହତ୍ୟା ପରେ ଉକ୍ତ ଡାଏରୀ ତାଙ୍କ ଘରେ ରହିଯାଇଥିଲା। ଏହି ଡାଏରୀରେ ମଧ୍ୟ ଫିଲ୍ମ ସୁଟିଂର ସ୍କ୍ରିପ୍ଟ ଲେଖାଯାଇଛି। ତେଣୁ କେଉଁ ପ୍ରକାର ପିଲ୍ମ ସୁଟିଂ ପାଇଁ ସ୍କ୍ରିପ୍ଟ ଲେଖାଯାଇଥିଲା, ତାହାର ଖୋଳତାଡ଼ କରୁଛି କ୍ରାଇମ୍‍ବ୍ରାଞ୍ଚ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜବତ ହୋଇଥିବା ଇଅର ଫୋନ୍‍, ଚପଲକୁ ଚିହ୍ନଟ କରିବା ପାଇଁ ମାନସଙ୍କ ଘର ଗୋଡ଼ିପୋଖରୀରେ ଅପରାହ୍ନରେ ପହଞ୍ଚିଥିଲା। କ୍ରାଇମ୍‍ବ୍ରାଞ୍ଚର ୫ଜଣିଆ ଟିମ୍‍ ମାନଙ୍କ ପରିବାରକୁ ଭେଟିଥିଲେ। ମାନସଙ୍କ ମା’ ଜୟନ୍ତୀ, ସ୍ତ୍ରୀ ଜମୁନା ଓ ଭାଇ ରାକେଶ ସ୍ୱାଇଁ ଏହାକୁ ମାନସଙ୍କର ବୋଲି ଚିହ୍ନଟ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ମା’। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ରହିଥିବାରୁ ନିରପେକ୍ଷ ତଦନ୍ତ ହେଉନି। ତେଣୁ ତାଙ୍କ ପୁଅର ନ୍ୟାୟ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ତାଙ୍କ ମା’ କହିଛନ୍ତି।

About The Author: The Sakala