ଭୁବନେଶ୍ୱର: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ । ୪ ଲେନ୍ ଟ୍ରାକ୍କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ । ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୁଧବାର ଦିନ ଖଡ଼ଗପୁର-ଝାରସୁଗୁଡ଼ା ୪ର୍ଥ ଲାଇନ୍ ସମେତ ତିନୋଟି ବହୁମୁଖୀ ରେଳ ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ସମସ୍ତ ପ୍ରକଳ୍ପ ପାଇଁ ମୋଟ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିବା ୩ଟି ପ୍ରକଳ୍ପ ହେଉଛି ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ୪ର୍ଥ ଲାଇନ୍, କାଟନି-ପେଣ୍ଡ୍ରା ରୋଡ୍ ୪ର୍ଥ ଲାଇନ୍ ଏବଂ ବିଳାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ୩ୟ ଲାଇନ୍। ଏହି ତିନୋଟି ପ୍ରକଳ୍ପ ଦ୍ୱାରା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ୧୪ଟି ଜିଲ୍ଲା ଉପକୃତ ହେବେ। ଏହା ବର୍ତ୍ତମାନର ରେଳ ନେଟୱାର୍କରେ ପ୍ରାୟ ୬୫୬ କିଲୋମିଟର ଅତିରିକ୍ତ ଲାଇନ୍ ଯୋଡ଼ିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରାୟ ୪,୭୯୦ ଗ୍ରାମ ଏବଂ ୫୬ ଲକ୍ଷରୁ ଅଧିକ ଜନସଂଖ୍ୟାକୁ ଉନ୍ନତ ଯୋଗାଯୋଗ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ପିଏମ୍ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପରିକଳ୍ପନା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥାନ ଯଥା ଓଡ଼ିଶାର ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ ଏବଂ ଅମରକଣ୍ଟକ ମନ୍ଦିରକୁ ଯାତାୟାତ ସୁବିଧାଜନକ ହେବ। ଏହାବ୍ୟତୀତ କୋଇଲା, ସିମେଣ୍ଟ, ଲୁହା ଏବଂ ଇସ୍ପାତ ପରି ସାମଗ୍ରୀର ପରିବହନ ପାଇଁ ଏହି ତିନୋଟି ମାର୍ଗ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ରେଳବାଇ ଅନୁଯାୟୀ, କ୍ଷମତା ବୃଦ୍ଧି ହେବା ଦ୍ୱାରା ବାର୍ଷିକ ପ୍ରାୟ ୨୭ ନିୟୁତ ଟନ୍ (MTPA) ଅତିରିକ୍ତ ମାଲ ପରିବହନ ସମ୍ଭବ ହୋଇପାରିବ।