ଭୁବନେଶ୍ୱର : ରାଜ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରିବା ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା କଥା କହୁଛନ୍ତି। ମାତ୍ର ସରକାରୀ ବିଭାଗଗୁଡ଼ିକ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବିଶେଷକରି ବସ୍ ଗୁଡ଼ିକରେ ଓଡ଼ିଆରେ ରୁଟ୍ବୋର୍ଡ ଲେଖାଯାଉନି। ଇଂରାଜୀ ଓ ଅନ୍ୟ ଭାଷାରେ ଲେଖାଯାଉଥିବାବେଳେ ଓଡ଼ିଆ ଭାଷାକୁ ପ୍ରତି ବସ୍ ମାଲିକମାନେ ଗୁରୁତ୍ୱ ଦେଉନାହାନ୍ତି। ପରିବହନ ବିଭାଗ ଏମାନଙ୍କୁ ତାଗିଦ ବି କରୁନି। ସାଧାରଣ ଯାତ୍ରୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାରମ୍ବାର ଅଭିଯୋଗ କରୁଥିଲେ ବି ସ୍ଥିତିରେ କୌଣସି ସୁଧାର ଆସୁନି।
ବରମୁଣ୍ଡା ବିଏସ୍ଏବିଟିରୁ ଦୈନିକ ଶହେରୁ ଊର୍ଦ୍ଧ୍ବ ଆନ୍ତଃରାଜ୍ୟ ବସ୍ ରାଜ୍ୟ ବାହାରକୁ ଯାତାୟତ କରୁଛି। ପରବହନ ବିଭାଗର ପରମିଟ୍ରେ ଚଳାଚଳ କରୁଥିବା ଏହି ବସ୍ ଗୁଡ଼ିକରେ ଓଡ଼ିଆ ଭାଷାରେ ରୁଟ୍ ବୋର୍ଡ ଲେଖିବା ପାଇଁ ନିୟମ ରହିଛି। ହେଲେ ଏହାକୁ ବର୍ଷ ବର୍ଷ ଧରି ଅଣଦେଖା କରାଯାଉଛି। ଏଥିରେ କିଛି ଓଡ଼ିଆ ମାଲିକମାନଙ୍କ ବସ୍ ଥିବାବେଳେ କିଛି ଅଣଓଡ଼ିଆ ମାଲିକଙ୍କ ବସ୍ ରହିଥିବା ଜଣାପଡ଼ିଛି। ବସ୍ ଗୁଡ଼ିକରେ ଓଡ଼ିଆ ଲେଖା ନଥିବାରୁ ସାଧାରଣ ଲୋକ ଅର୍ଥାତ୍ ଇଂରାଜୀ ଓ ଅନ୍ୟ ଭାଷା ପଢ଼଼ିପାରୁନଥିବା ଲୋକମାନେ ଜାଣି ନ ପାରି ହଇରାଣ ହେଉଛନ୍ତି। ବିଶେଷକରି ପୁରୀରୁ ପଶ୍ଚିମବଙ୍ଗ ଭିତରେ ସବୁଠୁ ଅଧିକ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି। ଏହି ବସ୍ଗୁଡ଼ିକ କୋଲ୍କାତା, ଆସାନ୍ସୋଲ୍, ଦୁର୍ଗାପୁର ଅଞ୍ଚଳକୁ ଚଳାଚଳ କରୁଛି। କିନ୍ତୁ ଏହି ବସ୍ ମାଲିକମାନେ ଓଡ଼ିଆ ଭାଷାରେ ରୁଟ୍ ବୋର୍ଡ ଲଗାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନଙ୍କର ଗନ୍ତବ୍ୟସ୍ଥଳ ବୋର୍ଡ କେବଳ ଇଂରାଜୀ ଭାଷାରେ ଲେଖାଯାଇଥିବାର ଦେଖିବାକୁ ମିଳୁଛି। ଓଡ଼ିଆ ଭାଷାରେ ଗନ୍ତବ୍ୟସ୍ଥଳ ଲେଖାଯାଉ ନ ଥିବାରୁ ଓଡ଼ିଆ ଭାଷାକୁ ବସ୍ ମାଲିକମାନେ ନୀଚ ଦୃଷ୍ଟିରେ ଦେଖୁଛନ୍ତି ବୋଲି ଅଭିଯୋଗ ହେଉଛି।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଅନ୍ତଃରାଜ୍ୟ ଯାତ୍ରୀବାହୀ ପରିବହନ ସେବା ଯୋଗାଉଥିବା ବସ୍ରେ ଉଭୟ ରାଜ୍ୟର ଆଞ୍ଚଳିକ ଭାଷାରେ ଗନ୍ତବ୍ୟସ୍ଥଳ ସୂଚନା (ଡେଷ୍ଟିନେସନ ବୋର୍ଡ) ଲେଖାଯିବାର ଗାଇଡ୍ଲାଇନ ରହିଛି। ଅନ୍ୟଥା ଏହା ପରମିଟ୍ ସର୍ତ୍ତ ଉଲଂଘନ କରାଯାଉଥିବା ବିବେଚନା କରାଯିବ। ଯାହା ଏକ ଧର୍ତ୍ତବ୍ୟ ଅପରାଧ ଓଡ଼ିଆ ଭାଷାରେ ନାମଫକଳ ନ ଲେଖିଲେ ଜରିମାନା ଗଣିବା ଭଳି ବ୍ୟବସ୍ଥା ଥିବାବେଳେ ଏହା ସିଧାସଳଖ ଭାବେ ମାର୍ଗଦର୍ଶିକାର ଖୋଲା ଉଲ୍ଲଙ୍ଘନ କରୁଛି। ଅନ୍ତଃରାଜ୍ୟ ଯାତ୍ରୀବାହୀ ବସ୍ ଓଡ଼ିଆ ଭାଷାରେ ଲେଖା ରହୁନଥିବାରୁ ଏହା ଓଡ଼ିଆ ଭାଷା ପ୍ରତି ଅପମାନ ବୋଲି ଓଡ଼ିଆ ଭାଷାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ମତବ୍ୟକ୍ତ କରୁଛନ୍ତି। ଓଡ଼ିଆ ଭାଷାରେ ଗନ୍ତବ୍ୟସ୍ଥଳର ସୂଚନା ଫଳକ ରହୁନଥିବାରୁ ବିଭିନ୍ନ ବର୍ଗର ଯାତ୍ରୀମାନେ ନିଜ ଗନ୍ତବ୍ୟ ରୁଟ୍ର ବସ୍କୁ ଜାଣିପାରୁନାହାନ୍ତି। ଏ ନେଇ ପରିବହନ ବିଭାଗ ସଜାଗ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି।