ଓଟିପି ନ ଦେଲେ ବି ଆକାଉଣ୍ଟ ଖାଲି: ପୁଣି ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ ଟାର୍ଗେଟ କଲେ ସାଇବର ଠକ

ବ୍ରହ୍ମପୁର: ସାଇବର ଠକେଇ ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ପ୍ରତି ଦିନ କେହି ନା କେହି ସାଇବର ଠକେଇର ଶିକାର ହୋଇ ପୁଲିସ୍‌ ପାଖକୁ ଆସୁଥିଲେ ହେଁ ବିଶେଷ କିଛି ସୁଫଳ ମିଳିପାରୁ ନାହିଁ । ନା ଲୋକେ ସଚେତନ ହେଉଛନ୍ତି ନା ସାଇବର ଠକଙ୍କୁ ଠାବ କରିବାକୁ କୌଣସି ଅତ୍ୟାଧୁନିକ ଜ୍ଞାନ କୌଶଳ ମିଳୁଛି । କିଛି ଦିନ ପୂର୍ବେ ଜଣେ ବରିଷ୍ଠ ନାଗରିକଙ୍କ ଏକାଉଣ୍ଟ ଖାଲି କରିଦେଇଥିବା ସାଇବର ଠକ […]

ବ୍ରହ୍ମପୁର: ସାଇବର ଠକେଇ ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ପ୍ରତି ଦିନ କେହି ନା କେହି ସାଇବର ଠକେଇର ଶିକାର ହୋଇ ପୁଲିସ୍‌ ପାଖକୁ ଆସୁଥିଲେ ହେଁ ବିଶେଷ କିଛି ସୁଫଳ ମିଳିପାରୁ ନାହିଁ । ନା ଲୋକେ ସଚେତନ ହେଉଛନ୍ତି ନା ସାଇବର ଠକଙ୍କୁ ଠାବ କରିବାକୁ କୌଣସି ଅତ୍ୟାଧୁନିକ ଜ୍ଞାନ କୌଶଳ ମିଳୁଛି । କିଛି ଦିନ ପୂର୍ବେ ଜଣେ ବରିଷ୍ଠ ନାଗରିକଙ୍କ ଏକାଉଣ୍ଟ ଖାଲି କରିଦେଇଥିବା ସାଇବର ଠକ ସହରର ପୁଣି ଜଣେ ବରିଷ୍ଠ ନାଗରିକଙ୍କ ଏକାଉଣ୍ଟକୁ ଟାର୍ଗେଟ କରି ସେଥିରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା ନେଇଯାଇଛନ୍ତି । ବର୍ଷ ବର୍ଷ ଧରି ବରିଷ୍ଠ ନାଗରିକ ଜଣକ ସଞ୍ଚୟ ରଖିଥିବା ତାଙ୍କର ପେନ୍‌ସନ୍‌ ଟଙ୍କା ସାଇବର ଠକ ଲୁଟିନେଇଛନ୍ତି । ଏନେଇ ପୁରୁଣା ଖ୍ରୀଷ୍ଟିୟାନ୍‌ ସାହିରେ ରହୁଥିବା ବରିଷ୍ଠ ନାଗରିକ ସୁକାନ୍ତ କୁମାର ପାତ୍ର ସାଇବର ଥାନାରେ ଏତଲା ଦେଇଛନ୍ତି । ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁକାନ୍ତଙ୍କ ପେନ୍‌ସନ୍‌ ଟଙ୍କା ଏସବିଆଇ ମୁଖ୍ୟ ଶାଖାକୁ ଆସୁଥିଲା । ପେନ୍‌ସନ୍‌ ଟଙ୍କା ଆସିବା ମାତ୍ରେ ତାଙ୍କ ମୋବାଇଲ୍‌କୁ ମେସେଜ୍‌ ଆସୁଥିଲା । ଚଳିତ ମାସରେ କିନ୍ତୁ ସୁକାନ୍ତଙ୍କ ମୋବାଇଲ୍‌କୁ ପେନ୍‌ସନ୍‌ ବାବଦ ଟଙ୍କାର ମେସେଜ୍‌ ନ ଆସିବା ଯୋଗୁଁ ସେ ଏସବିଆଇ ବ୍ୟାଙ୍କକୁ ଯାଇ ସେଠାକାର ଅଧିକାରୀଙ୍କୁ ପଚରା ଉଚରା କରିଥିଲେ । ପାସ୍‌ବୁକ୍‌ ଅପ୍‌ଡେଟ୍‌ କରିବା ବେଳେ ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୩ ହଜାର ୩୦୧ ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ । ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ଟଙ୍କା ତାଙ୍କ ଆକାଉଣ୍ଟରୁ ୧୦ଟି ପର୍ଯ୍ୟାୟରେ କଟିଥିବା ଜଣାପଡିଥିଲା । ୨୨ ତାରିଖରେ ମାତ୍ର ୫ଶହ ଟଙ୍କା କଟିଥିବା ବେଳେ ୨୩ ତାରିଖରେ ଦୁଇଟି ନେଣଦେଣରେ ଏକ ଲକ୍ଷ, ୨୪ ତାରିଖରେ ୩ଟି ଦେଣନେଣରେ ଏକ ଲକ୍ଷକୁ ମିଶାଇ ଡିସେମ୍ବର ୧ ତାରିଖ ଯାଏଁ ଟଙ୍କା କଟି କଟି ଯାଇଥିଲା । ପାସ୍‌ବୁକ୍‌ ଅପ୍‌ଡେଟ୍‌ ପରେ ଏହା ଜାଣିପାରି ତୁରନ୍ତ ଆକାଉଣ୍ଟକୁ ଲକ୍‌ କରିବା ପାଇଁ ସେ ଏସବିଆଇ ଅଧିକାରୀଙ୍କୁ ଜଣାଇଥିଲେ । ୧୦ ଦିନରେ ୧୧ଟି ଟ୍ରାନ୍‌ଜେକ୍ସନରେ ଉପରୋକ୍ତ ଟଙ୍କା କଟିଥିବା ଜଣାପଡିବା ପରେ ସୁକାନ୍ତ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ମୁଖ୍ୟ କଥା ହେଲା ସୁକାନ୍ତଙ୍କ କୌଣସି ନେଟ୍‌ ବ୍ୟାଙ୍କିଙ୍ଗ ନଥିବା ବେଳେ ତାଙ୍କୁ କୌଣସି ମେସେଜ୍‌ କିମ୍ବା ଆପ୍‌ ଲୋଡ୍‌ କରିବା ପାଇଁ କେହି ମୋବାଇଲ୍‌ରେ କହିନାହାନ୍ତି । ଏପରିକି ସେ କାହାରିକୁ କୌଣସି ଓଟିପି ମଧ୍ୟ ଦେଇନାହାନ୍ତି । ଏପରିସ୍ଥଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିପରି ଟଙ୍କା କଟିଲା ସେ ନେଇ ସୁକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବର ଠକଙ୍କ ଏହା ନୂଆ ତରିକା ନା ଏଥିରେ କୌଣସି ପରିଚିତ ଲୋକଙ୍କ ହାତ ରହିଛି ଏହା ଉପରେ ତଦନ୍ତ ହେଲେ ହିଁ ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।

About The Author: The Sakala