କଣ୍ଟାମାଳ, (ଦିବ୍ୟଶଙ୍କର ରାଉତ): ଆଖପାଖ ଗାଁରେ ଖୋଦ୍ ଜଙ୍ଗଲ ବିଭାଗ ଜଙ୍ଗଲ ସୁରକ୍ଷା କିମିଟି ଗଠନ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାରାରୋପଣ କରି ଜଙ୍ଗଲ ସୁରକ୍ଷା କରୁଥିବା ବେଳେ ନିଜେ ଏକୁଟିଆ ନିଜ ପରିବାରକୁ ନେଇ ସତ୍ୟ ହାତୀ ଯେଉଁ ଜଙ୍ଗଲ ସୃଷ୍ଟି କରିଛନ୍ତି ସେଠାରେ କୌଣସି ଚାରାଟିଏ ସୁଦ୍ଧା ରୋପଣ କରାଯାଇ ନାହିଁ। ମାଟିର ପୁନଃ ଉତ୍ପାଦିକା ଶକ୍ତି ବଳରେ ହିଁ ସୃଷ୍ଟି ହୋଇଛି ଏକ ବିରାଟ ଜଙ୍ଗଲ।
ମୁଣ୍ଡର ଝାଳ ତୁଣ୍ଡରେ ମାରି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ସେକାମାଲର ସତ୍ୟ ହାତୀଙ୍କ ଜୀବନୀ ଯେ କେହି ଶୁଣିବା ଲୋକ ଆଶ୍ଚର୍ଯ୍ୟ ହୋଇଯିବ। ନିଜ ଜୀବନକୁ ବନ ସୁରକ୍ଷାରେ ବ୍ରତଭାବେ ଗ୍ରହଣ କରିଥିବା ଶ୍ରୀ ହାତୀ ନିଜ ଉଦ୍ୟମରେ ସୃଷ୍ଟି କରିଛନ୍ତି ଏକ ସବୁଜ ବନାନୀ। ଗତ ୨୦ ବର୍ଷ ହେଲା ଏହି ବନ ଧନ ସୁରକ୍ଷାରେ ସତ୍ୟ ନୀଜ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣଭାବେ ସହଯୋଗ କରୁଥିବା ହେତୁ ଆଜି ପ୍ରାୟ ୩୫ରୁ ଊର୍ଦ୍ଧ୍ବ ଏକର ଜମିରେ ଆଜି ବନ୍ୟ ପକ୍ଷୀ, ପ୍ରାଣୀଙ୍କ ଭଳି ବିଶାଳ ହାତୀ ମଧ୍ୟ ଏହି ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣି ରହିବାକୁ ଆରମ୍ଭ କଲେଣି। ୨୦୦୩ ମସିହାରେ ନିଜ ଗାଁ ପାବଲି ଜଙ୍ଗଲକୁ ସୁରକ୍ଷା ଦେବା ଆରମ୍ଭ କରିଥିଲେ ସତ୍ୟ ଏଥିରେ ତାଙ୍କୁ କଲାସୁଲିଆର ସ୍ୱର୍ଗତ ସନ୍ତୋଷ ପ୍ରଧାନ ସତ୍ୟଙ୍କୁ ଉତ୍ସାହିତ କରିବା ସହ ସହାୟତା ଯୋଗାଇଦେଇଥିଲେ। ଫଳରେ ୭୨ ବର୍ଷ ବୟସର ସତ୍ୟଙ୍କ ଠାରେ ଆଜି ବି ଦେଖିବାକୁ ମିଳୁଛି ଯୁବ ସୁଲଭର ଉଦ୍ଧମତା। ଚାଟଶାଳୀରେ ପାଠରେ ନିଜ ଡୋରି ବାନ୍ଧିଥିବା ସତ୍ୟଙ୍କ ଏଭଳି ଜଙ୍ଗଲ ସୁରକ୍ଷା ଉଦ୍ୟମ ସେକାମାଲ ଚତୁର୍ପାଶ୍ବରେ ଥିବା ଅନ୍ୟ ଗ୍ରାମବାସୀଙ୍କୁ ଉତ୍ସାହିତ ଓ ପ୍ରରୋଚିତ କରିଛି ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କରିବାକୁ। ନିଜ ବ୍ୟକ୍ତିଗତ ଉଦ୍ୟମରେ ଏଭଳି ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରିଥିବା ସତ୍ୟଙ୍କୁ ବୌଦ୍ଧ ଜିଲ୍ଲାର ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।