ଦଳ ବିରୋଧୀ କାର୍ଯ୍ୟ କରିଥିବା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ବିଜେଡି ସୁପି୍ରମୋ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକୁ ଅବମାନନା କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡିର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ବିଜେବି ନଗର ସ୍ଥିତ ବାସଭବନ ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ଶ୍ରୀମତୀ ଜେନା କରିଥିବା ଦଳ ବିରୋଧୀ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜୁ ମହିଳା ଜନତା ଦଳ । 

ଏହି ପ୍ରତିବାଦ ସଭାର ନେତୃତ୍ୱ ନେଇଥିବା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ଶ୍ରୀମତୀ ସୁଭାସିନୀ ଜେନା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ସୁପି୍ରମୋଙ୍କ ନିଦେ୍ର୍ଦଶ ଯାହା ରହିବ, ତାକୁ ମାନିବି ବୋଲି କହୁଥିବା ଶ୍ରୀମତୀ ଜେନା ନିର୍ବାଚନ ଦିନ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁ ଜନତା ଦଳ ସହିତ ରହି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଦଳ ବିରୋଧୀ କାର୍ଯ୍ୟ କରିବା ସହ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱାସଘାତକତା କରିଥିବା ଶ୍ରୀମତୀ ଜେନାଙ୍କୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।
ଶ୍ରୀମତୀ ଛୁରିଆ ଆହୁରି କହିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ ଅର୍ଥ ଲୋଭରେ ଶ୍ରୀମତୀ ଜେନା ଯେଉଁ ଦଳବିରୋଧୀ କାର୍ଯ୍ୟ କରିଛନ୍ତି, ଯଦି ନୈତିକ ସାହସ ଅଛି, ତେବେ ସେ ତୁରନ୍ତ ବିଧାୟିକା ପଦରୁ ଇସ୍ତଫା ଦିଅନ୍ତୁ ।

ଏହି ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ସର୍ବଶ୍ରୀ ଭାରତୀ ସିଂହ, ନୃପେସ ନାୟକ, କେ. ଶାନ୍ତି, ମାନସୀ ସୁନ୍ଦରରାୟ, ରଞ୍ଜୁଲତା ରାୟ, ପ୍ରଭାସିନୀ ସେଠୀ, ଅଲିଅଳୀ ମଲ୍ଲିକ, ବରିଷ୍ଠ ନେତ୍ରୀ ସାରଳା ସ୍ୱାଇଁ, ସସ୍ମିତା ନନ୍ଦ, ବନଜା ମହାନ୍ତି, ଲୋରା ମହାପାତ୍ର, ଜ୍ୟୋତ୍ସ୍ନା ପରିଡ଼ା, ରୁନୁ ଜେନା, ମୋନାଲିସା ଗନ୍ତାୟତ, ଲକ୍ଷ୍ମୀ ସାହୁ, ଈଲା ସ୍ୱାଇଁ, ତିଳୋତ୍ତମା ଚୌଧୁରୀ, ସ୍ମିତା ସ୍ୱାଇଁ, ସୁସ୍ମିତା ଦାସ ଏବଂ ବିଜୁ ମହିଳା ଜନତା ଦଳର ହଜାର ହଜାର ମହିଳା ସମର୍ଥକ ସାମିଲ ହୋଇଥିଲେ ।

About The Author: Madhusudan Das