ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିଲେ କେମିତି ହେବ ମୁକାବିଲା । କେତେ ପ୍ରସ୍ତୁତ ଅଛି ଭିତ୍ତିଭୂମି । ଗତକାଲିଠୁ ସାରା ଦେଶରେ ଚାଲିଛି ଦୁଇଦିନିଆ ମକଡ୍ରିଲ୍ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର କରାଯାଇଛି ଯାଞ୍ଚ। ଓଡିଶାରେ ବି କରାଯାଉଛି ମକଡ୍ରିଲ। ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି। ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି। ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ନେଇ ବିଏମସିରେ ଜରୁରୀ ବୈଠକ ଡାକିଛି। ଆଜି ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀ ଟିଏ ଆସିଲେ ତାକୁ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଆଲୋଚନା କରାଯାଇଛି। ଆମର ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ। ସତର୍କ ରୁହନ୍ତୁ, ସଚେତନ ରହିବାକୁ ବିଏମସି କମିଶନ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।
ସେହପରି କଟକ ଏସସିବି ମେଡିକାଲ କଲେଜରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ। ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଛି କୋଭିଡ ହସ୍ପିଟାଲ । ୨୦ଟି ବେଡ ଓ ୨ଟି ଆଇସିୟୁ ରଖାଯାଇଛି ପ୍ରସ୍ତୁତ । ଭିଡିଆରଏଲ ସଂଖ୍ୟା ଦେଢ଼ ହଜାରକୁ ବୃଦ୍ଧି କରାଯାଇଛି । ପର୍ଯ୍ଯାପ୍ତ ମେଡିସିନ ବି ମହଜୁଦ ରଖାଯାଇଛି ।