ଭୁବନେଶ୍ୱର : ରାଜ୍ୟ ତଥା ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ଯାହା ଆବଶ୍ୟକ ସେହି ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡ଼ିଶା ଏବଂ ସାଢେ଼ ଚାରିକୋଟି ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତାଙ୍କ ପାଇଁ ରାଜ୍ୟର ସ୍ୱାର୍ଥ ନୁହେଁ ବରଂ ନିଜର ରାଜନୈତିକ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ । ଏବେ ଓଡ଼ିଶା ବିଜେପି ଜଣେ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ହୀନ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରରେ ଓଡ଼ିଶା ବେଶ୍ ସୁନାମ ଅର୍ଜନ କରିଛି । ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଭାବେ ମନୋଜ ମିଶ୍ର ସଫଳତାର ସହ ଦୀର୍ଘ କାର୍ଯ୍ୟ କରିବା ସହିତ ଓଡିଶାକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଖ୍ୟାତନାମା ଆଇଟି କମ୍ପାନୀମାନଙ୍କୁ ଆଣି ଏଠାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଛନ୍ତି । ଏଭଳି ସଫଳତା ବିଜେପି ନେତାଙ୍କୁ ଦେଖାଯାଉ ନାହିଁ । ସେମାନେ ଥରୁଟିଏ ବି ଏହି ସଫଳତାକୁ ପ୍ରଂଶସା କରିନାହାନ୍ତି । କିନ୍ତୁ ଆଜି କିନ୍ତୁ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ଭୟଭୀତ ହେବା ସହିତ ଯେଭଳି ପ୍ରଶ୍ନ ଉଠାଇବାରେ ଲାଗିଛି ତାହା ନିନ୍ଦନୀୟ ବୋଲି ଶ୍ରୀ ଦାସ କହିଛନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ ଶ୍ରୀ ମିଶ୍ର ଦୀର୍ଘ ଦିନ ଧରି ଆଇଟି ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ନାମୀ ଦାମୀ ଆଇଟି କମ୍ପାନୀ ଓଡିଶାକୁ ଆସି କାରବାର ଆରମ୍ଭ କରିଛନ୍ତି । ଓଡିଆ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପରିତାପର ବିଷୟ କେବଳ ରାଜନୈତିକ ଫାଇଦା ଦେଖୁଥିବା ବିଜେପିକୁ ଏହା ଦେଖାଯାଉ ନାହିଁ । ବର୍ତ୍ତମାନ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ବିଜେପି କାହିଁକି ଭୟଭୀତ ବୋଲି ବିଜେଡି ପ୍ରଶ୍ନ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଶହ ଶହ ଅଧିକାରୀଙ୍କ ମଧ୍ୟରୁ ଶ୍ରୀ ମିଶ୍ର ଅନ୍ୟତମ । ଅନ୍ୟ ଅଧିକାରୀଙ୍କ ଭଳି ଶ୍ରୀ ମିଶ୍ର ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । କିନ୍ତୁ ରାଜ୍ୟ ବିଜେପି କାହିଁକି ଶ୍ରୀ ମିଶ୍ରଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଦେଉଥିବାବେଳେ ବିଜେଡି କିନ୍ତୁ ଥରୁଟିଏ ହେଲେ ଏ ନେଇ ପ୍ରଶ୍ନ କରିନାହିଁ, କାରଣ ଏ ସବୁ ହେଉଛି ପ୍ରଶାସନିକ ବିଷୟ । ତେଣୁ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ଏବଂ ଅଧିକାରୀ ନିଯୁକ୍ତି ଉପରେ ରାଜନୀତି ଖେଳ ବନ୍ଦ କରି ଓଡିଶାର ବିକାଶ ପ୍ରସଙ୍ଗରେ ବିଜେପି ରାଜନୀତି କରିବା ଆବଶ୍ୟକ ଯାହା ସେମାନଙ୍କ ପ୍ରାଥମିକତା ହେବା ଉଚିତ ବୋଲି ଶ୍ରୀ ଦାସ କହିଛନ୍ତି ।