ମହାନଦୀ ଜଳ ବିବାଦର ସମାଧାନ କରିବାରେ ବିଜେପି ବିଫଳ, ଛତିଶଗଡ଼ ପାଖରେ ଆତ୍ମସମର୍ପଣ କରିଛନ୍ତି ସରକାର: ବିଜେଡି

ଭୁବନେଶ୍ୱର: ବିଜେପି ସରକାରର ଅପାରଗତା ଯୋଗୁଁ ମହାନଦୀ ଜଳ ବିବାଦର ସମାଧାନ ହେବାରେ ବିଳମ୍ୱ ହେଉଛି। ଟ୍ରିପଲ୍‌ ଇଞ୍ଜିନ ସରକାର ଥାଇ ବି ସମନ୍ୱୟ ଅଭାବରୁ ଓଡ଼ିଶାବାସୀ ଉପେକ୍ଷିତ ହେଉଛନ୍ତି। ଆଜି ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ। ଦିଲ୍ଲୀରେ ମହାନଦୀ ଜଳ ବିବାଦ ନେଇ ବୈଠକରେ ହୋଇଥିବା ଆଲୋଚନାକୁ ଜାଣିଶୁଣି ସାର୍ବଜନୀନ ନ କରି ଓଡ଼ିଶାବାସୀଙ୍କୁ ମିଛ ଆଶ୍ୱାସନା ଦେଇ ଭୁଆଁ ବୁଲାଉଥିବାରୁ ରାଜ୍ୟ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ମହାନଦୀ ଜଳ ବିବାଦ ସମାଧାନରେ ବିଜେପି ସରକାରର ଅପାରଗପଣିଆକୁ କଡ଼ା ନିନ୍ଦା କରିଛନ୍ତି। ଓଡ଼ିଶାରେ ଯେଉଁ ବନ୍ୟା ବିତ୍ପାତ ଦେଖାଦେଇଛି ତାହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ସେମାନେ କହିଛନ୍ତି।

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଶାର କୌଣସି କଥାକୁ ଛତିଶଗଡ଼ ସରକାର ତିଳେ ମାତ୍ର ଭ୍ରୁକ୍ଷେପ କରୁନାହିଁ। ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଛତିଶଗଡ ପାଖରେ ନିଜକୁ ଓଡ଼ିଶା ସରକାର ଆତ୍ମସମର୍ପଣ କରିଛନ୍ତି। ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ କେନ୍ଦ୍ର ସରକାର, ଓଡ଼ିଶା ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ତେବେ ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ପୂର୍ବରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଥିଲେ। କିନ୍ତୁ କେଉଁ ଆଧାରରେ ଦିଲ୍ଲୀରେ ଆଲୋଚନା ହେଲା, ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ। ବୈଠକରେ ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରିଲେ ତାହାକୁ ସାର୍ବଜନୀନ କରିଲେ ନାହିଁ। ମହାନଦୀର ଜଳ ପରିଚାଳନ ନେଇ ଓଡ଼ିଶାକୁ ଛତିଶଗଡ ସହଯୋଗ କରୁନାହିଁ। ବାରମ୍ୱାର ଜଣାଇବା ସତ୍ତେ୍ୱ ସରଡିହି ବ୍ୟାରେଜ ପାଖରେ ଏକ ନୂତନ ଗେଜ୍‌ ପ୍ରତିଷ୍ଠା ପାଇଁ ଛତିଶଗଡ଼ ମାନୁନାହିଁ। ଓଡ଼ିଶା ସରକାରଙ୍କ କଥାକୁ ଛତିଶଗଡ ବେଖାତିର କରିଚାଲିଛି। ପୁରୁଣା ଗେଜ ସଠିକ୍‌ ଭାବରେ କାର୍ୟ୍ୟ କରୁନଥିବାରୁ ଜଳ ପରିଚାଳନାରେ ସମସ୍ୟା ହେଉଛି। ଏନ୍‌. ଖୋସଲାଙ୍କ ରିପୋର୍ଟ ପରେ ଛତିଶଗଡ ସରକାର ଏହାକୁ ଉଲ୍ଲଙ୍ଘନ କରି ଜଳ ବିବାଦ ସୃଷ୍ଟି କରୁଛନ୍ତି । ଛତିଶଗଡ ସରକାରଙ୍କ ମନମାନି ଯୋଗୁଁ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ପାଇଁ ରୁଲକର୍ଭ ନୀତିର ଅନୁପାଳନ ହୋଇପାରୁ ନାହିଁ। ଛତିଶଗଡର ପଛୁଆ ପାଣି ହୀରାକୁଦକୁ ବିପଦ ସୃଷ୍ଟି କରିବା ସହ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ହେଉଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚୁପ୍‌ ନରହି ଲଢେ଼ଇ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ରାଜ୍ୟ ସରକାର କ’ଣ ଆଲୋଚନା କରିଲେ ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ବୋଲି ସେ କହିଥିଲେ। 

ଡ. ଅରୁଣ କୁମାର ସାହୁ କହିଥିଲେ ଯେ କେନ୍ଦ୍ର ସମେତ ଛତିଶଗଡ ଏବଂ ଓଡ଼ିଶାରେ ବିଜେପି ସରକାର ରହିଛି। ତେବେ ଟ୍ରିପଲ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁ ନାହିଁ। ରାଜ୍ୟ ସରକାର ନିଜକୁ ଛତିଶଗଡ ପାଖରେ ଆତ୍ମସମର୍ପଣ କରିଛନ୍ତି । ଖରାଦିନେ ମହାନଦୀ ଶୁଖିଲା ପଡ଼ିଥିବା ବେଳେ ରାଜ୍ୟ ସରକାର ଆଲୋଚନା କରିଲେ ନାହିଁ । ବର୍ଷା ସମୟରେ ଆଲୋଚନା କରିଲେ କାହିଁକି? ଖରାଦିନେ ମହାନଦୀର ଜଳ ସଙ୍କଟକୁ ଓଡ଼ିଶାବାସୀଙ୍କ ମନରୁ ଭୁଲାଇ ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଛତିଶଗଡ ପାଖରେ ୨୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ଥିବାବେଳେ ୧୦ ଲକ୍ଷ ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ତକ୍ରାଳୀନ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଛତିଶଗଡ଼ ମହାନଦୀ ଜଳର ୨୭ ଲକ୍ଷ ମିଲିୟନ ଏକର ଫୁଟ ଜଳ ଆବଶ୍ୟକ କରୁଥିବାରୁ ଜଳ ବିବାଦ ମୁଣ୍ଡ ଟେକିଥିଲା। ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ଓ କୃଷି କାର୍ୟ୍ୟ ପାଇଁ ଓଡ଼ିଶାକୁ ୧.୭୪ ମିଲିୟନ ଏକର ଫୁଟ ପାଣିର ଆବଶ୍ୟକତା ଥିବାବେଳେ ଛତିଶଗଡ ନିଜର ମନମାନି କରି ତାହା ଦେଉନାହିଁ। ଖରାଦିନେ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ ରଖୁଛି ଛତିଶଗଡ, ଯାହାଫଳରେ ଓଡ଼ିଶା ପଟ ଶୁଖିଲା ପଡୁଛି। ବର୍ଷ ତମାମ ପାଣି ଅଟକାଇ ରଖୁଥିବା ବେଳେ ବନ୍ୟା ସମୟରେ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ଖୋଲି ଦେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାର ଦିଲ୍ଲୀରେ ଆଲୋଚନା କରିଥିବା ବେଳେ ଏହାକୁ ସାର୍ବଜନୀନ କରିବା ପାଇଁ ଡରୁଛନ୍ତି କାହିଁକି ବୋଲି ଡ. ସାହୁ ପ୍ରଶ୍ନ କରିଥିଲେ। ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି। ଉକ୍ତ ଟ୍ରିବ୍ୟୁନାଲ ୬ ଦିନ ଧରି ଓଡ଼ିଶା ବୁଲିକି ଗଲେ। ଏନେଇ ରାଜ୍ୟ ସରକାର ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଫଳ ଶୂନ୍ୟ। ଓଡ଼ିଶାକୁ ନ ଜଣାଇ ଛତିଶଗଡ କଲମା ବ୍ୟାରେଜ ଗେଟ୍‌ ଖୋଲିବାରୁ ଓଡ଼ିଶାରେ ବନ୍ୟା ବିତ୍ପାତ ହେଲା। ଏଥିପାଇଁ ବିଜେପି ସରକାର ହିଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ମୁଖ୍ୟମନ୍ତ୍ରୀ ଦଳୀୟ ସ୍ୱାର୍ଥକୁ ଛାଡି ଓଡ଼ିଶାର ସ୍ୱାର୍ଥ ପାଇଁ ନିଜକୁ ସମର୍ପଣ କରନ୍ତୁ। ଅନ୍ୟ ମାନଙ୍କୁ ଖୁସି କରାଇବାକୁ ଛତିଶଗଡ ପାଖରେ ଓଡ଼ିଶାକୁ ବିକି ନଦିଅନ୍ତୁ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ବୈଠକରେ କ’ଣ ଆଲୋଚନା ହୋଇଛି ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

About The Author: Madhusudan Das