ପୁରୀ: ଅବହେଳିତ ମଣିଷଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାର ସୁଫଳ ଯେଭଳି ତୃଣମଳସ୍ତରର ଲୋକଙ୍କ ପାଖରେ ପହଞ୍ଚିବ ତାହାକୁ ସୁନିଶ୍ଚିତ କରିବା ପାଇଁ ବିଜୁ ଜନତା ଦଳର ଯୁବ ଓ ଛାତ୍ର ସାମ୍ମୁଖ୍ୟ ପ୍ରମୁଖ ମାଧ୍ୟମ ହେବେ । ଏତଦ୍ବ୍ୟତୀତ ଦଳର ସଙ୍ଗଠନକୁ କିପରି ଆହୁରି ସୁଦୃଢ କରାଯିବ ଏବଂ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ତିରକରାଯିବ ସେ ନେଇ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ପୁରୀରେ ଆଜି ଠାରୁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିଘାଇସ୍ଥିତ ମିଲ୍କ ସିଟି ପରିସରରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ଦିବସରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଏବଂ ୨୭ ତାରିଖରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଏହି ପ୍ରଶିକ୍ଷଣ ଶିବିରରେ ଛାତ୍ର ଓ ଯୁବ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା, ୩୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ୩୧୪ ବ୍ଲକ ସଭାପତି, ସମସ୍ତ ଏନଏସି, ମ୍ୟୁନିସିପାଲିଟି ଏବଂ ମହାନଗର ନିଗମ ସଭାପତିଙ୍କ ସମେତ ସବୁ ଜିଲ୍ଲାର ଡିଜିଟାଲ ସେକ୍ରେଟାରୀ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଛନ୍ତି । ମୁଖ୍ୟତଃ ଛାତ୍ର ଓ ଯୁବ ରାଜନୀତିରୁ ଯାଇ ବିଧାୟକ ଓ ମନ୍ତ୍ରୀ ହୋଇଥିବା ଦଳର ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ପ୍ରଥମ ଦିନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ରୋହିତ ପୂଜାରୀ ପ୍ରମୁଖ ଯୋଗଦେବେ।
ସେହିପରି ୨୭ ତାରିଖ ବିଜୁ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେବେ।
ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ମଧ୍ୟରେ ସୀମିତ ନାହିଁ। ସେବାମୂଳକ କାର୍ଯ୍ୟକୁ ଦଳ ବ୍ରତ କରିଛି । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସମାଜସେବା କାର୍ଯ୍ୟକ୍ରମ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କ୍ରମରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ପକ୍ଷରୁ ସେବା କାର୍ଯ୍ୟକ୍ରମଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରଶିକ୍ଷଣ ପରେ ପୁରୀ ବେଳାଭୂମି ସଫେଇ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ବିଧାୟକ ବ୍ୟୋମକେଶ ରାୟସୂଚନା ଦେଇଛନ୍ତି।
ଗତ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ବର୍ଷକ ମଧ୍ୟରେ ୫୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବା ପାଇଁ ଦଳୀୟ କର୍ମକର୍ତ୍ତା ଶପଥ ନେଇଥିଲେ | ୧୦ ମାସ ମଧ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୬ ହଜାର ୟୁନିଟ୍ରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଛି। ଆଉ ୨ମାସ ମଧ୍ୟରେ ଏହି ଟାର୍ଗେଟକୁ ଆମେ ଛୁଇଁପାରିବୁ। କରୋନାର ବିଷମ ପରିସ୍ଥିତିରେ ଏଭଳି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବାରୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ବିଜୁ ଯୁବ ଜନତା ଦଳର ସଭାପତି ରାୟ ।