ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ଲୋୟର ପିଏମ୍‌ଜିରେ ବିଜେଡିର ଜୋରଦାର ବିକ୍ଷୋଭ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟିକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। 

ପାଠ୍ୟପୁସ୍ତକରେ ହୋଇଥିବା ଏହି ଅବହେଳା ଓ ତ୍ରୁଟି ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନୈତିକ ଦାୟିତ୍ୱ ନେଇ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ଏଥିସହ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଯଥାଶୀଘ୍ର ତ୍ରୁଟିମୁକ୍ତ ଏବଂ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇଦେବାକୁ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ସମାନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂଗଠନିକ କର୍ମକର୍ତ୍ତାଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଆନ୍ଦୋଳନକୁ ରୋକିବା ପାଇଁ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ବିଧାନସଭା ଗୃହ ଭିତରେ ମଧ୍ୟ ବିଜେଡି ସଦସ୍ୟମାନେ ପାଠ୍ୟପୁସ୍ତକ ପ୍ରସଙ୍ଗ ଉଠାଇବା ସହ ନାରାବାଜି କରିଥିଲେ। ଗୃହରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। 

About The Author: Madhusudan Das