ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

'ମିଛ ପ୍ରତିଶ୍ରୁତି ଦେବାରେ ବିଜେପି ସିଦ୍ଧହସ୍ତ'

ଭୁବନେଶ୍ୱର: ପବିତ୍ର ଗୁରୁ ଦିବସରେ ଗୁରୁମାନଙ୍କୁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ବିଚିତ୍ର ନୀତି ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କ ନୀତି ଯୋଗୁଁ ରାଜ୍ୟର ଅନେକ ଏଡେଡ଼ କଲେଜ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଓ ସେହି କାରଣରୁ ଚଳିତ ବର୍ଷ ଏହି କଲେଜ ଗୁଡିକରେ ଗଣେଶ ପୂଜା ଅନୁଷ୍ଠିତ ହୋଇନପାରିବା ନେଇ ଆଶଙ୍କା ଦେଖାଦେଇଛି, ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି ବିଜେଡି । 

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରାଜ୍ୟ ବିଜେପି ସରକାରଙ୍କ ଗତ ଅଢେଇ ବର୍ଷର ଶାସନରେ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିବା ବେଳେ, ରାଜ୍ୟର ଶିକ୍ଷା ବ୍ୟବସ୍ଥା ରସାତଳକୁ ଯାଇଛି । ପବିତ୍ର ଗୁରୁ ଦିବସରେ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ହଜାର ହଜାର ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନଙ୍କୁ ବିଭିନ୍ନ ଦାବି ନେଇ ଆନେ୍ଦାଳନ କରୁଥିବା ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ଯେତେବେଳେ ବିରୋଧୀ ଦଳରେ ଥିଲେ, ଏହି ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନଙ୍କ ଆନେ୍ଦାଳନ ସ୍ଥଳକୁ ଯାଇ ବିଜେପି କ୍ଷମତାକୁ ଆସିଲେ, ସେମାନଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିଜେପି କ୍ଷମତାକୁ ଆସିବାର ପ୍ରାୟ ଅଢେଇ ବର୍ଷ ବିତି ଯାଇଥିଲେ ସୁଦ୍ଧା, ଏହି ଶିକ୍ଷକ ମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି । ଏହା ପ୍ରମାଣିତ କରୁଛି ଯେ, ବିଜେପି ମିଛ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ । ଏହାଛଡା ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ପରମ୍ପରା ମଧ୍ୟ ବିଜେପି ଶାସନରେ ନଷ୍ଟ ହୋଇଛି । ଗୁରୁ ଦିବସରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଶିକ୍ଷକ ସମ୍ମାନ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ଭବ ହେଉନାହିଁ, ତେଣୁ ଏହାକୁ ବାତିଲ କରାଯାଉଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି, ଯାହା ଗ୍ରହଣୀୟ ନୁହେଁ । ପବିତ୍ର ଗୁରୁ ଦିବସରେ ଗୁରୁ ମାନଙ୍କୁ ସମ୍ମାନିତ କରାଯିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପଲବ୍ଧ ନହେବା, ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି କେତେ ନିଷ୍ଠା ରହିଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଚଳିତ ବର୍ଷ କଲେଜ ଗୁଡିକରେ ଗଣେଶ ପୂଜା ପାଳନ ନ ହୋଇପାରେ ବୋଲି ସନେ୍ଦହ ପ୍ରକାଶ ପାଇଛି । କେଜିରୁ ପିଜି ପର୍ଯ୍ୟନ୍ତ ସରକାରଙ୍କ ମାଗଣା ଶିକ୍ଷା ଯୋଜନା କାରଣରୁ ଏହି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜଣାପଡିଛି । ରାଜ୍ୟର ଅଧିକାଂଶ ଏଡେଡ଼ କଲେଜ ପିଲାମାନଙ୍କ ଟଙ୍କାରେ (ଫିସ) ଚାଲେ । ଯେଉଁଥିରେ କଲେଜର ବିକାଶ, ଅଧ୍ୟାପକମାନଙ୍କ ଦରମା, ପୂଜା ଇତ୍ୟାଦି କରାଯାଇଥାଏ । ହେଲେ ମାଗଣା ଶିକ୍ଷା କହିବା ପରେ ପିଲା ଆଉ ଟଙ୍କା ଦେଉନାହାନ୍ତି । ଏହାକୁ ଭରଣା କରିବାକୁ ସରକାର ଯେଉଁ ଟଙ୍କା ଦେବା କଥା କହିଥିଲେ, ତାହା ଏପର୍ଯ୍ୟନ୍ତ ମିଳିନାହିଁ । ଏହି କିସ୍ତି ଯଦି ବି ଆସେ, ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହୋଇଛି । ଅନେକ କଲେଜ ବିଦୁ୍ୟତ ବିଲ୍ ଦେଇପାରୁ ନାହାନ୍ତି । ଗଣେଶ ପୂଜା କେମିତି କରାଯିବ, ସେ ନେଇ ଚିନ୍ତାରେ ଅଧ୍ୟାପକ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅଧ୍ୟାପକମାନଙ୍କୁ ପରୋକ୍ଷରେ କଟାକ୍ଷ କରି କହିଛନ୍ତି ଯେ, କଲେଜରେ ପୂଜା କରିବା ପାଇଁ ଆଧ୍ୟାତ୍ମିକ ଆଗ୍ରହ ଦରକାର, ଟଙ୍କା ନୁହେଁ । ଏହା ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ପ୍ରଦର୍ଶିତ କରୁଛି ।

About The Author: Madhusudan Das