ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ୟ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର।
ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି। ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ। ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ୟକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ।
୨୦୧୮ରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଗଠିତ ଜାତୀୟ କମିଟିର ପ୍ରଥମ ବୈଠକ। ପ୍ରଧାନମନ୍ତ୍ରୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନଙ୍କ ଏହି ଚିନ୍ତାଧାରାକୁ ସାବାସୀ ମିଳିଥିଲା। କେବଳ ଦେଶର ପରପିଢି ନୁହେଁ, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିଲେ ଭାରତୀୟ ପରମ୍ପରା, ସଂସ୍କୃତି, ଆଦର୍ଶ କଥା ବାହାର ଦେଶ ବି ଜାଣିପାରିବ ବୋଲି ନବୀନ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ୨୩ ମାର୍ଚ୍ଚ ୨୦୨୧ରେ ବଡ଼ ଧୂମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ବୋଲି ନବୀନ କହିଥିଲେ । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ଏହି ଦିନରେ ଓଡ଼ିଶା ବିଧାନସଭା ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।