ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଡିଜିପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାମ୍ପ୍ରଦାୟିକ ସ୍ଥିତି ତଥା ଚିକିଟି ମଦମୃତ୍ୟୁ ସଂକ୍ରାନ୍ତରେ ପୋଲିସ୍‌ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଆଜି ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କୁ ଭେଟି ଆଲୋଚନା କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଘଟିଥିବା ଏକ ବର୍ବୋରଚିତ ହତ୍ୟାକାଣ୍ଡରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଭୟ ଓ ଆଶଙ୍କାରେ କାଳତିପାତ କରୁଛନ୍ତି। […]

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାମ୍ପ୍ରଦାୟିକ ସ୍ଥିତି ତଥା ଚିକିଟି ମଦମୃତ୍ୟୁ ସଂକ୍ରାନ୍ତରେ ପୋଲିସ୍‌ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଆଜି ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କୁ ଭେଟି ଆଲୋଚନା କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ଘଟିଥିବା ଏକ ବର୍ବୋରଚିତ ହତ୍ୟାକାଣ୍ଡରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଭୟ ଓ ଆଶଙ୍କାରେ କାଳତିପାତ କରୁଛନ୍ତି। ନିକଟ ଅତୀତରେ ସାରୁଅ ଓ ଛଣଗିରି ସମେତ ପାତ୍ରପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ସାମ୍ପ୍ରଦାୟିକ ସ୍ଥିତି ବିପନ୍ନ ହୋଇଛି। ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ ରଖୁଥିବା ଓଡ଼ିଶାବାସୀଙ୍କ ମନରେ ଏହିସବୁ ଘଟଣା ଆଘାତ ଦେଇଛି।
ବିଷାକ୍ତ ମଦ୍ୟପାନ ଜନତି ଚିକିଟି ମଦମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରି ବିଜେଡି ପ୍ରତିନିଧି ମଣ୍ଡଳୀ କହିଥିଲେ ଯେ, ୫ଟି ଅମୂଲ୍ୟ ଜୀବନ ହରାଇବା ପରେ ମଧ୍ୟ ମଦମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପ୍ରଶାସନ ଖୋଜି ପାଇନାହିଁ। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ମଣ୍ଡଳୀ ଏମକେସିଜି ମେଡ଼ିକାଲ କଲେଜ ଓ ଚିକିଟି ଗସ୍ତ କରି ଏ ବାବଦରେ ବିସ୍ତୃତ ବିବରଣୀ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ୧୦ରୁ ଅଧିକ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଭବିଷ୍ୟତରେ ଏହାର ପୁନରାବୃତ୍ତି ଯେଭଳି ନ ଘଟେ, ସେଥିପାଇଁ ପୋଲିସ୍‌ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରତିନିଧି ମଣ୍ଡଳୀ କହିଛନ୍ତି।
ନିକଟ ଅତୀତରେ ପୁରୀ ରାଜଭବନ ଠାରେ ଜଣେ ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା ଏବଂ ବର୍ତ୍ତମାନ ସୁଦ୍ଧା ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ରାଜ୍ୟବାସୀ ଅନ୍ଧକାରରେ ଅଛନ୍ତି। ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ୍‌ର ନିରବତା ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ଉଲ୍ଲେଖ କରି ବିଜେଡି ପ୍ରତିନିଧି ମଣ୍ଡଳୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବି ଜଣାଇଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ମନ୍ମଥ ରାଉତରାୟ, ମୁଖପାତ୍ର ଭୃଗୁ ବକ୍ସିପାତ୍ର ଓ ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

About The Author: The Sakala