ଠେଙ୍ଗା ରାଜନୀତିରେ ବିଶ୍ବାସ କରୁଥିବା ଲୋକଙ୍କର ଅବଧାନରେ ଶୃଙ୍ଖଳା ଶବ୍ଦର ସ୍ଥାନ ନାହିଁ : ଅଶୋକ ପଣ୍ଡା

ଭୁବନେଶ୍ବର : ଗତକାଲି ମହାଶିବରାତ୍ରୀ ପାଳନବେଳେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଦର୍ଶନ ବ୍ୟବସ୍ଥାଠୁ ନେଇ ମହାଦୀପ ଉଠିବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ ଓ ସେବାୟତମାନଙ୍କ ମଧ୍ୟରେ ସମନ୍ବୟ ନଥିବା ଜଳ ଜଳ ହୋଇ ଦେଖାଦେଇଥିଲା। ଆଉ ଯାହାକୁ ନେଇ ଆଜି ସରକାର ଓ ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା। ମହାଶିବରାତ୍ରୀ ଏକାମ୍ର କ୍ଷେତ୍ରର ଏକ ପ୍ରମୁଖ ପର୍ବ । ଗତକାଲି ଏହି ଅବସରରେ […]

ଭୁବନେଶ୍ବର : ଗତକାଲି ମହାଶିବରାତ୍ରୀ ପାଳନବେଳେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଦର୍ଶନ ବ୍ୟବସ୍ଥାଠୁ ନେଇ ମହାଦୀପ ଉଠିବା ପର୍ଯ୍ୟନ୍ତ ପ୍ରଶାସନ, ପୁଲିସ ଓ ସେବାୟତମାନଙ୍କ ମଧ୍ୟରେ ସମନ୍ବୟ ନଥିବା ଜଳ ଜଳ ହୋଇ ଦେଖାଦେଇଥିଲା। ଆଉ ଯାହାକୁ ନେଇ ଆଜି ସରକାର ଓ ପ୍ରଶାସନ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା।

ମହାଶିବରାତ୍ରୀ ଏକାମ୍ର କ୍ଷେତ୍ରର ଏକ ପ୍ରମୁଖ ପର୍ବ । ଗତକାଲି ଏହି ଅବସରରେ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଦୁଃଖର ବିଷୟ ଯେ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ଜିଲ୍ଲାପାଳ ଓ ପୁଲିସ ପ୍ରଶାସନଙ୍କ ଏତେ ବୈଠକ ସତ୍ତ୍ବେ ବିଭିନ୍ନ ଗଣମାଧ୍ୟମରେ ଦେଖାଗଲା ଶ୍ରଦ୍ଧାଳୁ ଯେଉଁ କ୍ଷୋଭ ପ୍ରକାଶ କରୁଥିଲେ। ଲୋକଙ୍କୁ ଠିକ୍‌ ଭାବେ ଦର୍ଶନ କରିବାକୁ ସୁଯୋଗ ମିଳିଲାନି। ଭିଆଇପି ଦର୍ଶନ ନାମରେ ସାଧାରଣ ଭକ୍ତଙ୍କୁ ଅବହେଳା କରାଗଲା। ଯାହା ଦେଖିବା ପରେ ମନରେ ପ୍ରଶ୍ନ ସୃଷ୍ଟି କରିଛି ଯେ ଏହା ଲୋକଙ୍କ ସରକାର ନା ଆଉ କାହାର ସରକାର ବୋଲି ଅଶୋକ ପଣ୍ଡା କହିଛନ୍ତି।

ଗତ ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ମୁହଁମାଡି ପଡ଼ିଯିବା, ଆଉ ଏବେ ମହାଦୀପ ଉଠିବା ସମୟରେ ସେବାୟତ ଆଘାତ ହେବାରୁ ସମସ୍ତଙ୍କ ଆଧ୍ୟାତ୍ମିକ ମନୋଭାବଙ୍କୁ ବି ଆଘାତ ପହଞ୍ଚିଛି। ପ୍ରଶାସନ, ପୁଲିସ ଓ ଡବଲ ଇଞ୍ଜିନ ସରକାର ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ ଓ ସ୍ବତନ୍ତ୍ର ଲିଙ୍ଗରାଜ ଆଇନର ପରିକଳ୍ପନା କରିଥିଲେ । ଯାହାକୁ ବିଧାନସଭାରେ ସର୍ବସମ୍ମତି ମିଳିଥିଲା । ସେ ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ । ହେଲେ ବିଡ଼ମ୍ବନାର ବିଷୟ, କେନ୍ଦ୍ର ସରକାର ଓ ଭୁବନେଶ୍ବର ସାଂସଦ ଏନଏମ ଆଳରେ ତାକୁ ବିରୋଧ କଲେ । ଆଇନ ଆସିଥିଲେ ହୁଏତ ଦର୍ଶନ ଶୃଂଖଳିତ ହୋଇଥାନ୍ତା ।

ବରିଷ୍ଠ ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବର ଡିସିପି ଦକ୍ଷିଣ ଦ୍ବାରରେ ଲୋକଙ୍କ ଘେରରେ ଥାଇ ଅସହାୟ ହୋଇ ପଡ଼ିଥିଲେ । ଆଇନ ମନ୍ତ୍ରୀ କିପରି କହିଲେ ଯେ ଶୃଂଖଳିତ ଦର୍ଶନ ହୋଇଛି? କିଛି ଦିନ ତଳେ ନୀତି ବିଭ୍ରାଟ ସମୟରେ ଆଇନ ମନ୍ତ୍ରୀ ଆସି ରିପୋର୍ଟ ପ୍ରକାଶ କରିବା କଥା କହିଥିଲେ । ହେଲେ ସେ ରିପୋର୍ଟ ଆଜି ଯାଏଁ ସର୍ବସମ୍ମୁଖରେ ପ୍ରକାଶ ପାଇଲା ନାହିଁ । ଯେଉଁମାନେ ଠେଙ୍ଗା ରାଜନୀତିରେ ବିଶ୍ବାସ କରନ୍ତି, ସେମାନଙ୍କ ଅବଧାନରେ ଶୃଙ୍ଖଳା ଶବ୍ଦର ସ୍ଥାନ ନାହିଁ।  ବଳ ଯାହାର ମୁଲକ ତାହାର ନୀତିରେ ସେମାନେ କାମ କରନ୍ତି । ତେଣୁ ସେମାନଙ୍କ ମୂଲ୍ୟବୋଧକ ରାଜନୀତି କଣ ଜାଣନ୍ତି ନାହିଁ । ଆଗକୁ ରୁକୁଣା ରଥ । ସରକାର ସଚେତନ ହେଉ କାମ କରନ୍ତୁ। ଯେପରି ମହାପ୍ରଭୁ ଲିଙ୍ଗରାଜଙ୍କ କାମରେ କିଛି ବିଭ୍ରାଟ ହେବ ନାହିଁ ।

About The Author: The Sakala