ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ଘେରିଲା ବିଜେଡି: 'ପଶ୍ଚିମ ଓଡ଼ିଶାବାସୀଙ୍କୁ ଭଣ୍ଡାଇଛି ବିଜେପି'

ଭୁବନେଶ୍ୱର: ସମ୍ୱଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନାଁରେ ବିଜେପି ସରକାର ଓ ବିଜେପି ନେତାମାନେ ଦୀର୍ଘ ଦିନ ଧରି ସମ୍ୱଲପୁର ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭ୍ରମିତ କରିଆସୁଛନ୍ତି। ବିଜେପିର ଏହି ମିଛ ପ୍ରତିଶ୍ରୁତି ଓ ନାଟକ ବନ୍ଦ ହେଉ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ୱଲପୁର ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ। 

ସେ କହିଛନ୍ତି ଯେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ସମ୍ୱଲପୁରରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ ପରେ ଜୁନ୍‌ ୨୦୨୪ରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କେନ୍ଦ୍ର ନିକଟରେ ସମ୍ୱଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ । ପରେ ୨୦୨୪  ସେପ୍ଟେମ୍ୱର ୮ ତାରିଖରେ ନୂଆଖାଇ ଅବସରରେ ସମ୍ୱଲପୁର ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ହେବ ବୋଲି ଘୋଷଣା କରିଥିଲେ।  ସେପ୍ଟେମ୍ୱର ୨୦୨୪ରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସମ୍ୱଲପୁରରେ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ। ଏପରିକି ଏମ୍ସ ପାଇଁ ଜମି ଖୋଜାଯାଉଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏବେ ଆରଟିଆଇ ମାଧ୍ୟମରେ ସାମ୍ନାକୁ ଆସିଥିବା ତଥ୍ୟ ସମସ୍ତ ଘୋଷଣାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ୨୦୨୪ ଅକ୍ଟୋବରରେ କେନ୍ଦ୍ର ପକ୍ଷରୁ ଏମ୍ସ ପ୍ରତିଷ୍ଠା ନେଇ ସକରାତ୍ମକ ଅନୁମୋଦନ ମିଳିନଥିଲା, ତେବେ ତା’ପରେ ବିଜେପିର ନେତାମାନେ ସମ୍ୱଲପୁରବାସୀଙ୍କୁ କାହିଁକି ବାରମ୍ୱାର ଏମ୍ସ ହେବ ବୋଲି କହି ଆସୁଛନ୍ତି? ୨୦୨୪ରେ ଭୋଟ ପାଇଁ ଏମ୍ସର ପ୍ରତିଶ୍ରୁତି, ନୂଆଖାଇରେ ଘୋଷଣା, ପରେ ଜମି ଖୋଜା, ୨୦୨୬ରେ ପୁଣି ନୂଆ କଥା । ଏହା କ’ଣ ପଶ୍ଚିମ ଓଡ଼ିଶାବାସୀଙ୍କ ସହିତ ରାଜନୈତିକ ଛଳନା ନୁହେଁ? 

ବିଜେପିର ଜାତୀୟ ପ୍ରବକ୍ତା ଅଜୟ ଆଲୋକ ୧୧ ଫେବୃଆରୀ ୨୦୨୬ରେ ସମ୍ୱଲପୁର ଆସି ଏମ୍ସ ପାଇଁ ରାଜ୍ୟ ସରକାର ଜମି ଯୋଗାଇବାକୁ ଯାଉଥିବା ଏବଂ ପ୍ରକଳ୍ପ ଆଗକୁ ବଢ଼ୁଥିବା କଥା କହିଥିଲେ ।  ବିଜେପି ନେତାମାନେ ସମ୍ୱଲପୁରକୁ ଆସି ମିଛ ପ୍ରତିଶ୍ରୁତିର ପୁରୁଣା କ୍ୟାସେଟ୍‌ ବଜାଇବା ବନ୍ଦ କରନ୍ତୁ । ଯଦି ଏମ୍ସ ହେବ, ତେବେ କେନ୍ଦ୍ର ସରକାରଙ୍କ ଅନୁମୋଦନ କେଉଁଠି? ମଞ୍ଜୁରୀ କେଉଁଠି? ବଜେଟ୍‌ କେଉଁଠି? ଡିପିଆର କେଉଁଠି? ଜମି ଚିହ୍ନଟ ହେଲେ ତା’ର ପରବର୍ତ୍ତୀ ପଦକ୍ଷେପ କ’ଣ ସ୍ପଷ୍ଟ କରନ୍ତୁ। ବିଜେପି ମିଛ କହିବା ଓ ଲୋକଙ୍କୁ ଭ୍ରମିତ କରିବାର ରାଜନୀତିରେ ପାରଙ୍ଗମ, କିନ୍ତୁ ସମ୍ୱଲପୁରବାସୀ ଏ ମିଛକୁ ଏତେ ସହଜରେ ଭୁଲିଯିବେ ନାହିଁ । ଏମ୍ସ କୌଣସି ନିର୍ବାଚନୀ ଲଲିପପ୍‌ ନୁହେଁ। ଏହା ପଶ୍ଚିମ ଓଡ଼ିଶାର କୋଟି କୋଟି ଲୋକଙ୍କ ସ୍ୱାସ୍ଥ୍ୟ ଅଧିକାରର ପ୍ରଶ୍ନ। ଖାଲି ଏମ୍ସ ନୁହେଁ, ସେମାନେ ନିଜର ନିର୍ବାଚନୀ ପ୍ରତିଶ୍ରୁତିରେ ହାଇକୋର୍ଟ ବେଞ୍ଚ, ଡବ୍ଲୁଓଡିସି ମୁଖ୍ୟାଳୟ ସ୍ଥାନାନ୍ତରଣ, ସମ୍ୱଲପୁରୀ ଭାଷାକୁ ସରକାରୀ ମାନ୍ୟତା ଭଳି ଅନେକ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହିତ ଜଡ଼ିତ ରହିଥିବା ଦାବି ଗୁଡ଼ିକର ପ୍ରତିଶ୍ରୁତି ଦେଇଥିଲେ। 

ଜନସାଧାରଣ ସବୁ ମନେ ରଖିଛନ୍ତି ଏବଂ ଏହି ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ବିଜେପି ଦଳକୁ ଠିକ୍‌ ସମୟରେ ଜବାବ ଦେବେ। ଯେ ପର୍ଯ୍ୟନ୍ତ ସମ୍ୱଲପୁରରେ ସରକାର ଏମ୍ସ ନ କରିବେ ସେ ପର୍ଯ୍ୟନ୍ତ ଏହି ଲଢେଇ ଜନସାଧାରଣଙ୍କ ସହ ମିଶି ଜାରି ରହିବ ଏବଂ ଆଗକୁ ଆହୁରି ତୀବ୍ରତର ହେବ ବୋଲି ଇଂ ପୂଜାରୀ ଚେତାବନୀ ଦେଇଛନ୍ତି।
  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଏ ସଂକ୍ରାନ୍ତରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଥିଲେ। ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦ୍ୱିତୀୟ ଏମ୍‌ସ ସ୍ଥାପନ ଅପରିହାର୍ଯ୍ୟ ବୋଲି ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ରାଓ ଯାଧବ ସମ୍ବଲପୁରରେ ଏମ୍ସ ସ୍ଥାପନ ପାଇଁ କୌଣସି ଯୋଜନା ନଥିବା ରୋକ୍‌ଠୋକ୍‌ ମନା କରିଦେଲେ । ଯାହାକୁ ନେଇ ଶ୍ରୀ ମଙ୍ଗରାଜ କ୍ଷୋଭ ପ୍ରକାଶ କରି ଓଡ଼ିଶାବାସୀ ଓ ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

About The Author: Madhusudan Das