ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ୩ ଜଣ ବରିଷ୍ଠ ନେତାଙ୍କୁ ପ୍ରମୁଖ ବନ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ବିଜେଡି ପକ୍ଷରୁ ସୋମବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ବରିଷ୍ଠ ନେତା ପ୍ରଦୀପ କୁମାର ଅମାତଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ଡ. ଅରୁଣ କୁମାର ସାହୁଙ୍କୁ ଭଦ୍ରକ ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ବାଲେଶ୍ୱର ଜିଲ୍ଲା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ନେତାମାନେ ବନ୍ୟାଞ୍ଚଳ ଗସ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ଦଳୀୟ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରଭାବିତ ଅଞ୍ଚଳରେ ଉପଯୁକ୍ତ ରିଲିଫ୍ ଏବଂ ଥଇଥାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଜେଡି ନେତା ତଥା କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଦଳର ସଭାପତି ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ଅନେକ ନଦୀ ବିପଦ ସଙ୍କେତ ଉପରେ କିମ୍ବା ପାଖାପାଖି ପ୍ରବାହିତ ହେଉଛି। ବିଶେଷ କରି ବୈତରଣୀ ଏବଂ ଜଳକା ନଦୀରେ ବନ୍ୟା ଆସିବା ଫଳରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଗାଁ, ଚାଷଜମି ଏବଂ ରାସ୍ତାଘାଟ ଜଳମଗ୍ନ ହୋଇରହିଛି। ଏଭଳି ସ୍ଥିତିରେ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ବିଜେଡିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

About The Author: Madhusudan Das