ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ । ବୈବସ୍ୱତ ମନୁ ରାଉତ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ସେ ଜଣେ PMAY-Urban ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜଣେ ଗରିବ ଆଦିବାସୀ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ଘର ନିର୍ମାଣ ପାଇଁ ୨.୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ ୧,୩୦,୦୦୦ ଟଙ୍କାର ଅନ୍ତିମ କିସ୍ତି ବାକି ଥିଲା। ଏହି ବକେୟା ଟଙ୍କା ରିଲିଜ୍ କରିବା ପାଇଁ ଅଭିଯୁକ୍ତ ବୈବସ୍ୱତ ମନୁ ରାଉତ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଅଧିକାରୀ ଜଣକ ଟଙ୍କା ନଦେଲେ ଫାଇଲ୍ ଆଗକୁ ବଢ଼ାଇବେ ନାହିଁ ବୋଲି ଜିଦ୍ ଧରିଥିଲେ।
କୌଣସି ଉପାୟ ନପାଇ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଏକ ଜାଲ ବିଛାଇ ଶୁକ୍ରବାର ଦିନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ବୈବସ୍ୱତଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ପିସି ଆକ୍ଟ ଅନୁଯାୟୀ କେସ୍ ନଂ-୧୪/୨୦୨୪ ପଞ୍ଜିକୃତ କରାଯାଇ ଅଧିକ ତଦନ୍ତ ଜାରି ରହିଛି।