ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବରଗଡ : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ […]

ଭୁବନେଶ୍ବର/ବରଗଡ : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ ହେଉଛି ଏ ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ । ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ । ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ ।

ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ।ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା । ଏ ମାଟି, ଏ ମାଟିର ମଣିଷର ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହେଇ ରହିଥିଲେ। ଜଣେ ଓଡ଼ିଆ ଭାବରେ ସେ ଗର୍ବ କରୁଥିଲେ। ସେହି ମହାନାୟକଙ୍କ ଜନ୍ମଦିନରେ ଆଜି ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଡେଡିକେଟ୍ କରି ମୁଁ ବହୁତ ଖୁସି।

ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ-ସାମାଜିକ-ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଦେବ। ଏହି ଏକ୍ସପ୍ରେସ ୱେ ଦ୍ୱାରା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସମ୍ପ୍ରତି ସୁନ୍ଦରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ୫୪୬ କିଲୋମିଟର ଲମ୍ୱା ଏହି ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧି କ୍ଷେତ୍ରରେ ଏକ ନୂଆ ଉଚ୍ଚତା ପ୍ରଦାନ କରିବ।

ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ୱପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ। ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ୍‌‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛନ୍ତି। ଏକ୍ସପ୍ରେସ ୱେର ନିର୍ମାଣ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାକୁ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହ ପଶ୍ଚିମ ଓଡ଼ିଶାରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଛି।

ଅନ୍ୟପକ୍ଷରେ ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରୀନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡି ହେବେ। ପ୍ରାକୃତିକ ସମ୍ପଦର ସୁବିନିଯୋଗ ସାଙ୍ଗକୁ ବର୍ତ୍ତମାନର କାର୍ଯ୍ୟକ୍ଷମ ହୋଇଥିବା ଶିଳ୍ପ ପାଇଁ ଆନୁଷଙ୍ଗିକ ଶିଳ୍ପର ବିକାଶ ହୋଇପାରିବ। ଏଠାରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବିଜୁ ଅର୍ଥନୈତିକ କରିଡରର ଦୁଇ ପାଖରେ ପ୍ରାୟ ୧୧ଟି ଶିଳ୍ପ ସଂସ୍ଥା ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ।

ଏଥିପାଇଁ ଶିଳ୍ପନୀତି ୨୦୨୨ରେ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାରେ ଆହୁରି ଦ୍ରୁତ ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି। ରାଜ୍ୟର ଭାତ ହାଣ୍ଡି ବୋଲି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଭିତ୍ତିକ ଶିଳ୍ପ ସହ ଅନ୍ୟ ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବେ। ଯାହାଫଳରେ ଅର୍ଥନୈତିକ ଅଭିବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହ ବିଜୁ ଏକ୍ସପ୍ରେସ ୱେ ଯୋଡ଼ିହେବାକୁ ଥିବାରୁ ବ୍ୟାପକ ଢଙ୍ଗରେ ଓଡ଼ିଶା ଏହାର ଲାଭ ପାଇବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

About The Author: The Sakala