ଭୁବନେଶ୍ୱର: ଟଙ୍କା ବଦଳାଇଦେଲେ ମିଳୁଛି ମଜୁରୀ ! ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲୋକଙ୍କର ଲାଗିଛି ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ମିଳୁଛି ୩୦୦ ଟଙ୍କା ! ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଛନ୍ତି ଲାଇନରେ ଛିଡା ହୋଇଥିବା କିଛି ବ୍ୟକ୍ତି । ନୋଟ୍ ବଦଳ ପାଇଁ ମଜୁରୀ ନେଇ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ସାମ୍ନାରେ ଛିଡ଼ା ହୋଇଛନ୍ତି ଅନେକ ଲୋକ । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି । ହେଲେ ଡେଡଲାଇନ ପରେ ବି ଟଙ୍କା ବଦଳକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।
ଲମ୍ବା ଲାଇନରେ ଥିବା ଲୋକମାନେ ସାଧାରଣତଃ ଗରିବଗୁରୁବା ବା ମଜଦୁର ଶ୍ରେଣୀର । ଏମାନଙ୍କୁ କମିଶନି ଦେଇ ଲାଇନରେ ଛିଡା କରାଉଥିବା ମାଲିକ କିଏ ? କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ? ରିଜର୍ଭ ବ୍ୟାଙ୍କ ବାରମ୍ବାର ଅପିଲ କରି ଏବଂ ଡେଡଲାଇନ ଘୁଞ୍ଚାଇ ମଧ୍ୟ କାହିଁକି ଏମାନେ ସମୟ ଭିତରେ ଟଙ୍କା ଫେରାଇ ନଥିଲେ । ଅକ୍ଟୋବର ୭ ତାରିଖ ଟଙ୍କା ଫେରାଇବାର ଶେଷ ଡେଡଲାଇନ ଥିଲା । ଏହାପରେ ଦେଶର ୧୯ଟି ଆରବିଆଇରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି ।