ଭୁବନେଶ୍ୱର: ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ବିତି ଯାଇଥିବା ବର୍ଷଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଆଗକୁ ବଢ଼ିଛି ଓ ବଢ଼ିବାକୁ ପ୍ରୟାସ ଜାରି ରଖିଛି। ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି।
ଇତିମଧ୍ୟରେ ଭୁବନେଶ୍ୱର ଦୁଇଦୁଇ ଥର ହକି ବିଶ୍ୱକପ୍ ଆୟୋଜନର ମୂକସାକ୍ଷୀ ହୋଇସାରିଥିବା ବେଳେ ଅତ୍ୟାଧୁନିକ କଳିଙ୍ଗ ଷ୍ଟାଡିୟମ୍ ପାଇଁ ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଛି। ସହରବାସୀଙ୍କୁ ମୂଳ ସବୁଜିମା ଫେରାଇ ଦେବା ପାଇଁ ଏଠି ଆନନ୍ଦବନର ପରିକଳ୍ପନା କରାଯାଇଛି। ବିଶ୍ୱ ତଥା ଦେଶର ପ୍ରମୁଖ ସହର ସହ ତାଳ ଦେଇ ଦୌଡ଼ିବା ପାଇଁ ଭୁବନେଶ୍ୱର ଛାତି ଉପରେ ମେଟ୍ରୋ ପ୍ରକଳ୍ପର ମୂଳଦୁଆ ପଡ଼ିଛି। ସାରା ରାଜ୍ୟବାସୀଙ୍କ ଜୀବନଜୀବିକାର ଟ୍ରିଞ୍ଜିଟ୍ ପଏଣ୍ଟ ସାଜିଥିବା ବରମୁଣ୍ଡା ବସ୍ଷ୍ଟାଣ୍ଡର ନବକଳେବର ହୋଇ ସାରିଛି। ଭୁବନେଶ୍ୱରକୁ ସ୍ୱପ୍ନର ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଅଭିନବ ଯୋଜନାମାନ ହାତକୁ ନେଇ କାର୍ଯ୍ୟକାରୀ କରୁଥିବା ବେଳେ କେବଳ ରାଜଧାନୀବାସୀ ନୁହଁନ୍ତି; ସାରା ଓଡ଼ିଶାବାସୀ ଏବଂ ଆଗନ୍ତୁକମାନେ ମଧ୍ୟ ‘ଫାଷ୍ଟ ଭୁବନେଶ୍ୱର’ର ପରିବର୍ତ୍ତିତ ରୂପକୁ ଦେଖି ସନ୍ତୋଷ ପ୍ରକଟ କରୁଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଦିନେ ସ୍ୱପ୍ନ ଭଳି ଲାଗୁଥିବା ବେଳେ ଏବେ ଏହା ବାସ୍ତବତାର ରୂପ ନେବାକୁ ଯାଉଛିି। ଦେଶର ହାତଗଣତି ସହର ଭଳି ଭୁବନେଶ୍ୱରରେ ଆଉ ଦିନ କେଇଟା ମଧ୍ୟରେ ଗଢ଼ିବାକୁ ଯାଉଛି ମେଟ୍ରୋ ଟ୍ରେନ୍। ନିଜସ୍ୱ ପାଣ୍ଠିରେ ଏହି ପ୍ରକଳ୍ପକୁ ୪ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେବଳ ମେଟ୍ରୋ ନୁହେଁ; ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜତୀୟ ସ୍ତରର ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ପୁରୁଣା ବରମୁଣ୍ଡା ବସ୍ଷ୍ଟାଣ୍ଡର କାୟାକଳ୍ପ, ରୂପ ବଦଳିଥିବା ବେଳେ ଏହା ବର୍ତ୍ତମାନ ବାବା ସାହେବ୍ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ ରୂପେ ଚମକୁଛି। ଦିନେ କାଦୁଅ ପଚପଚ ରାସ୍ତା ଦେଇ ଷ୍ଟାଣ୍ଡ ଭିତରକୁ ପଶୁଥିବା ବସ୍ ଏବେ କଳା ମଚ୍ମଚ୍ ଚିକ୍କଣ ପଥରେ ବସ୍ ବେ’କୁ ପ୍ରବେଶ କରୁଛି। ବରମୁଣ୍ଡା ବସ୍ଷ୍ଟାଣ୍ଡର ଏହି ରୂପାନ୍ତରିତ ରୂପ ରାଜଧାନୀର ଆକର୍ଷଣକୁ ବହୁଗୁଣ ବୃଦ୍ଧି କରିଛି। ସମଭାବରେ ରାଜଧାନୀବାସୀଙ୍କ ଜୀବନରେଖା ପାଲଟିଛି ମୋ ବସ୍। ପରିବହନ କ୍ଷେତ୍ରରେ ମୋ ବସ୍ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲିଟିଥିବା ବେଳେ ଏହି ସେବା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଛି।
କେବଳ ଭିତ୍ତିଭୂମି କିମ୍ବା ପରିବହନ କ୍ଷେତ୍ରରେ ରାଜଧାନୀ ସୀମିତ ନାହିଁ। ଆଇଟି କ୍ଷେତ୍ରରେ ଏବେ ଭୁବନେଶ୍ୱର ପୂର୍ବ ଭାରତର ହବ୍ ପାଲଟିଛି। ଟିସିଏସ୍ ଏବଂ ଇନ୍ଫୋସିସ୍ ଭଳି ପ୍ରସିଦ୍ଧ ଆଇଟି କଂପାନୀ ଏଠାରେ ପୂର୍ବରୁ କାର୍ଯ୍ୟ ଜାରି ରଖିଥିବା ବେଳେ ଡିଲଏଟ୍, କନ୍ସେଣ୍ଟ୍ରିକ୍ସ, ଆକ୍ସେଞ୍ଚର, ଆଇବିଏମ୍ ଭଳି ନାମୀଦାମୀ କମ୍ପାନୀ ସହ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଆଇଟି କମ୍ପାନୀ ଭୁବନେଶ୍ୱରରେ କାମ ଆରମ୍ଭ କରିଛନ୍ତି। ଫଳରେ ଦେଶବିଦେଶର ହଜାର ହାଜର ଶିକ୍ଷିତ ଯୁବକଯୁବତୀଙ୍କ ଭିଡ଼ ଏବେ ଭୁବନେଶ୍ୱରରେ ଜମୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରକୁ ଏକ ନୂଆ ପରିଚୟ ମିଳିଛି।
କେବଳ ଆଇଟି କମ୍ପାନୀ ପରିଚୟ ବଢ଼ାଇ ନାହାନ୍ତି; କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରର ଶ୍ରୀବୃଦ୍ଧି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ବୋଲି ଭୁବନେଶ୍ୱରବାସୀ ଅନୁଭବ କରୁଛନ୍ତି। ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ସାଙ୍ଗକୁ ଷ୍ଟାଡିୟମ ପରିସରରେ ନିର୍ମାଣାଧୀନ ନୂଆ ବ୍ୟାଡ୍ମିଣ୍ଟନ ଷ୍ଟାଡିୟମ (ସଟଲ୍), ସୁଇମିଂପୁଲ୍ ଏବଂ କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଶ୍ରେଷ୍ଠରୁ ଶ୍ରେଷ୍ଠତମ ସୁବିଧା ଏଠାରେ ଉପଲବ୍ଧ ହୋଇଛି। କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ; ବିଭିନ୍ନ ସଂସ୍ଥାଙ୍କ ସହଭାଗିତାରେ ରାଜଧାନୀରେ ଏକାଧିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଚାଲିଥିବା ବେଳେ ସ୍ୱନାମଧନ୍ୟ କ୍ରୀଡ଼ାବିତମାନେ ଏପରି ପଦକ୍ଷେପକୁ ମନଖୋଲି ପ୍ରଶଂସା କରୁଛନ୍ତି। ଏହା ସହ ରାଜଧାନୀରେ ଏକାଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ, ଘରୋଇ ହସ୍ପିଟାଲ, ପ୍ରାକୃତିକ, ସ୍ୱଚ୍ଛ, ସୁନ୍ଦର ପରିବେଶ ରାଜଧାନୀକୁ ଆହୁରି ଆକର୍ଷଣୀୟ କରିଛି। ଏହାର ପରିଣାମ ସ୍ୱରୂପ ଦେଶର ପ୍ରମୁଖ ସହରକୁ ପଛରେ ପକାଇ ଇଜ୍ ଅଫ୍ ଲିଭିଂ ସୂଚକାଙ୍କରେ ଭୁବନେଶ୍ୱର ଏକାଧିକବାର ଶ୍ରେଷ୍ଠ ସହର ମଧ୍ୟରେ ରହୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ସହ ଭୁବନେଶ୍ୱରରେ ଯେପରି ସବୁ ଅତ୍ୟାଧୁନିକ ସୁବିଧାସୁଯୋଗ ସହଜରେ ଉପଲବ୍ଧ ହେବ, ସେଥିପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଛନ୍ତି। ଏଥିରେ ରାଜଧାନୀବାସୀଙ୍କୁ ଯୋଡ଼ି ସହରକୁ ଆଗକୁ ବଢ଼ାଇବା ପାଇଁ ‘ଭୁବନେଶ୍ୱର ଫାଷ୍ଟ’ ଅଭିଯାନ ଆରମ୍ଭ କରାଯାଇଛି। ପୁରୁଣା ରାଜଧାନୀ କଟକ ଓ ଭୁବନେଶ୍ୱରକୁ ନେଇ ଗଠିତ ଦ୍ୱୈତନଗରୀର କଳେବର ଓ ଶ୍ରୀ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ଏକାଧିକ ଯୋଜନା। ଦୁଇ ସହରରେ ପରିବହନ ସେବାକୁ ସୁଗମ କରିବା ପାଇଁ ରିଂ ରୋଡ୍ର ପରିକଳ୍ପନା କରାଯାଇଛି। ମୋଟାମୋଟି ଭାବେ ରାଜଧାନୀ ଭୁବନେଶ୍ୱରକୁ ଶ୍ରେଷ୍ଠ, ସୁନ୍ଦର ଏବଂ ସର୍ବୋତ୍ତମ ରୂପେ ଗଢ଼ି ତୋଳିବାରେ ସମସ୍ତଙ୍କ ସମାନ ଭାଗିଦାରୀର ଆବଶ୍ୟକତା ରହିଛି।