ଭଦ୍ରକ: ଗିରଫ ହେଲେ ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ । ୧୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିବା ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ ହୋଇଛନ୍ତି । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା । ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ 2023-24 ଆର୍ଥିକ ବର୍ଷରେ ଅଭିଯୁକ୍ତ ରାମ ନାରାୟଣ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିଲେ । ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣା ପଡିଥିଲା।
ଏ ନେଇ ଗତ ୨୦ ତାରିଖରେ ଅଭିଯୋଗ ହେବା ପରେ ଭଦ୍ରକର ପୂରୁଣା ବଜାର ସ୍ଥିତ ରାମ ନାରାୟଣଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର EOW । ଚଢାଉ ବେଳେ ୧୦ ଦାମୀ ଗାଡି, ଏକାଧିକ ଡିଜେ ଗାଡି, ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି। ସମସ୍ତ ପ୍ରମାଣ ପାଇବା ପରେ EOW ରାମ ନାରାୟଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏପରିକି ତଦନ୍ତ ବେଳେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।