ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଆଜି ପୂର୍ବାହ୍ନରେ କାର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି।
ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇଛି। ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପରେ ତାଳପଦାସ୍ଥିତ ମାଣିକଲାଲ ମହିଳା କଲେଜର ଛାତ୍ରୀମାନେ ରାସ୍ତାରୋକୋରେ ସାମିଲ ହୋଇଛନ୍ତି। ଛାତ୍ରୀଜଣକ ଘରୁ କଲେଜ ଯାଉଥିବା ବେଳେ ନନ୍ଦପୁର ବଜାରରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଇଣ୍ତିଗୋ କାର ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀଜଣକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତିହିଡି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ , ଅତିରିକ୍ତ ତହସିଲଦାର ନମିତା ଧଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।