ଭଦ୍ରକ: ଆସନ୍ତା ରବିବାର ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତିନୀର୍ଣ୍ଟ ଅନୁଯାୟୀ ଚନ୍ଦ୍ରଗ୍ରହଣ ଦିନ ସହଳ ନୀତିକାନ୍ତି କରାଯାଇ ପାକତ୍ଯାଗ ପୂର୍ବରୁ ଅର୍ଥାତ୍ ୧୨ଟା୩୦ମିନିଟ ସୁଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇ ମଧ୍ୟାହ୍ନ ୧ଟାରେ ବାବାଙ୍କର ପହୁଡ଼ କରାଯିବ। ଏହି ସମୟ ଠାରୁ ଅର୍ଥାତ୍ ମଧ୍ୟାହ୍ନ ୧ଟା ଠାରୁ ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଗ୍ରହଣ ସର୍ଵମୋକ୍ଷ ପରେ ଅର୍ଥାତ୍ ରାତି ୨ଟା ପରେ ମନ୍ଦିର ମାର୍ଜନା କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ। ସ୍ଥିର ହୋଇଥିବା ନୀତିନୀର୍ଣ୍ଟ ଅନୁଯାୟୀ ରବିବାର ଭୋର ୪ଟାରେ ଦ୍ଵାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ଯଭୋଗ ଲାଗି କରାଯିବ। ସକାଳ ୮ଟାରେ ପହଡଖିଆ ଅନ୍ନ ନୀତି, ୯ଟାରେ ଵଡନୀତିଭୋଗ, ୧୦ଟାରେ ଅବକାଶ ନୀତି, ୧୦/୩୦ରେ ବଡ଼ସିଂହାର ବେଶ, ୧୧ଟାରେ ସଂଧ୍ୟା ପୂଜା, ୧୨/୩୦ରେ ବାଟୁଳା ନୀତି ସମ୍ପନ୍ନ ହେବ।