ଧାମନଗର: ଆର୍ଥିକ ଅନଟନରୁ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକିଦେଲେ ବାପା-ମା’। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସି ୨ନମ୍ବର ୱାର୍ଡ ଅଧୀନ ଗୁମୁଗଡ଼ ଛକ ନିକଟ ଡମଆଡ଼ି ଅଞ୍ଚଳରୁ ଶିଶୁବିକ୍ରି ଭଳି ଏକ ସାଂଘାତିକ ଘଟଣା ପଦାକୁ ଆସିଛି।
ସୂଚନାନୁଯାୟୀ, ଡମଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ଅତ୍ୟନ୍ତ ଗରିବ ଶ୍ରେଣୀର। ମାଗିଯାଚି ପରିବାର ଚଳାନ୍ତି। ବନ୍ଧୁଆଙ୍କ ମୂଳ ଘର ଭଦ୍ରକ ବ୍ଲକ୍ ଅନ୍ତର୍ଗତ କଲେଇ ଗ୍ରାମରେ। ତାଙ୍କର ୩ଟି ସନ୍ତାନ ଥିବା ବେଳେ ୨ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ତେଣୁ, ପରିବାର ଚଳାଇବାରେ କଷ୍ଟ ହେବାରୁ ଏହି ଦମ୍ପତି ନିଜର ସାନଝିଅକୁ ମାତ୍ର ୧୫ହଜାର ଟଙ୍କାରେ ଶନିବାର ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିବା କଥା ସ୍ୱୀକାର କରିଛନ୍ତି। ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମରେ ବାଲେଶ୍ୱରରୁ ଦୁଇଜଣ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ ଶିଶୁଟିକୁ ନେଇ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ପୂର୍ବରୁ ବନ୍ଧୁଆ ୫ ହଜାର ଟଙ୍କା ଅଗ୍ରିମ ନେଇଥିବା ବେଳେ ଶନିବାର ଧାମନଗର ବଜାରରେ ଆଉ ୧୦ ହଜାର ଟଙ୍କା ନେଇ ଶିଶୁଟିକୁ ସେମାନଙ୍କ ହାତକୁ ଟେକି ଦେଇଥିଲେ। ଉକ୍ତ ଟଙ୍କାରୁ ମାଆ କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପରିଆଡ଼ି, ରମାକାନ୍ତ ଜେନାଙ୍କ ସମେତ ଧାମନଗର ଥାନା ଏସ୍ଆଇ ରଶ୍ମିତା ମଲ୍ଲିକ ପହଞ୍ଚି ତଦନ୍ତ କରିଥିଲେ। ପରେ ବିକ୍ରି ଶିଶୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଶିଶୁ ସୁରକ୍ଷା ବିଭାଗ ।