‘ଆବାସ’ ନିର୍ମାଣରେ ବର୍ଷା ବାଧକ, ବୋନସ୍‌‌ ଅର୍ଥ ପାଇଁ ଚିନ୍ତାରେ ହିତାଧିକାରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ବାଧକ ସାଜିଛି ବର୍ଷା। ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ପରେ ହିତାଧିକାରୀ ଘର କାମ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ନିର୍ମାଣ କାର୍ଯ୍ୟରେ ବର୍ଷା ଦାଉ ସାଜିଛି। ବର୍ଷା ଦିନରେ ଘର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ମିଳିଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। ଅନ୍ୟପଟେ ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ହିତାଧିକାରୀଙ୍କୁ ରାଜ୍ୟ ସରକାର ୨୦ ହଜାର ଟଙ୍କାର […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ବାଧକ ସାଜିଛି ବର୍ଷା। ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ପରେ ହିତାଧିକାରୀ ଘର କାମ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ ନିର୍ମାଣ କାର୍ଯ୍ୟରେ ବର୍ଷା ଦାଉ ସାଜିଛି। ବର୍ଷା ଦିନରେ ଘର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ମିଳିଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। ଅନ୍ୟପଟେ ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ହିତାଧିକାରୀଙ୍କୁ ରାଜ୍ୟ ସରକାର ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ବେଳେ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଘର କାର୍ଯ୍ୟ ସରିବକି ନାହିଁ ସେନେଇ ହିତାଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଯଦି ଏମିତି ହୁଏ ତେବେ ହିତାଧିକାରୀମାନେ ବୋନସ ଅର୍ଥ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ଅନେକ ହିତାଧିକାରୀ ଚିନ୍ତାରେ ପଡ଼ିବା ସହିତ ବର୍ଷା ଯୋଗୁଁ ଏହି କ୍ଷେତ୍ରରେ ରାଜ୍ୟ ସରକାର କୋହଳ ମନୋଭାବ ଅବଲମ୍ବନ କରିବା ପାଇଁ ଦାବି କରିଛନ୍ତି।

କେବଳ ଗୃହ କାର୍ଯ୍ୟରେ ସମସ୍ୟା ନୁହେଁ ବର୍ଷାଦିନରେ ଗୃହ ନିର୍ମାଣ ସାମଗ୍ରୀ ମିଳିବା ମଧ୍ୟ କଷ୍ଟକର ହେଉଛି। ନଦୀଗୁଡ଼ିକରୁ ବାଲି ଉଠାଇବାରେ ସମସ୍ୟା ହେବା ସହିତ ସିମେଣ୍ଟ ଓ ଇଟା ଆଦି ସାମଗ୍ରୀ କ୍ରୟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ନିର୍ମାଣ ସମୟ ସୀମା ବଢ଼଼ାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ହିତାଧିକାରୀମାନେ ଦାବି କରିଛନ୍ତି। କାର୍ଯ୍ୟାଦେଶ ସହିତ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଦିଆଯାଇଛି। ପରବର୍ତ୍ତୀ ୨ଟି କିସ୍ତିକୁ ମିଶାଇ ମୋଟ୍‌‌ ୧ ଲକ୍ଷ ୨୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହି ଅର୍ଥକୁ ଛାଡ଼ି ଯଦି ହିତାଧିକାରୀ ନିଜର ଗୃହ କାର୍ଯ୍ୟ ୪ ମାସରେ ଶେଷ କରନ୍ତି ତେବେ ବୋନସ୍‌‌ ଭାବେ ଅତିରିକ୍ତ ୨୦ ହଜାର ଓ ଯେଉଁ ହିତାଧିକାରୀ ଗୃହ କାର୍ଯ୍ୟ ୬ ମାସରେ ସାରିବେ ତାଙ୍କୁ ୧୦ ହଜାର ଟଙ୍କାର ବୋନ୍‌‌ସ ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥ ପାଇବା ଲକ୍ଷ୍ୟରେ ହିତାଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଘର ନିର୍ମାଣ କରିବା ସହିତ ସରକାରୀ ପ୍ରୋତ୍ସାହନ ରାଶି ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ସେମାନଙ୍କ ପାଇଁ ମୌସୁମୀ ବର୍ଷା ବାଧକ ଭାବେ ଠିଆ ହୋଇଛି। ବର୍ଷା ସାଙ୍ଗକୁ ରାଜ୍ୟରେ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଶ୍ରମିକ ମଧ୍ୟ ମିଳୁନାହାନ୍ତି। ଅଧିକାଂଶ ଶ୍ରମିକ ନିଜ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଶ୍ରମିକଙ୍କ ସଂଖ୍ୟା ଅଭାବ ହେଉଛି। ଏଥିପାଇଁ ହିତାଧିକାରୀଙ୍କ ଚିନ୍ତା ବଢ଼଼ିଛି।

ଅନ୍ୟପଟେ, ଗତ ୧୮ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୨ଟି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଲଘୁଚାପଗୁଡ଼ିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବାର ସମ୍ଭବନା ଥିବାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷା ବଢ଼଼ିଲେ ହିତାଧିକାରୀଙ୍କ ପାଇଁ ଚିନ୍ତା ଆହୁରି ଦ୍ୱିଗୁଣିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

About The Author: The Sakala