ରାଜଧାନୀ ରାଜରାସ୍ତାରେ ଭିକ୍ଷା ଲାଗି ବାଜିରେ ଲାଗୁଛି ଜୀବନ

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଭିକ୍ଷାବୃତ୍ତି କରିବା ଲାଗି ବାଜିରେ ଲାଗିଛି ଜୀବନ। ସେମାନେ ଚଳନ୍ତା ଗାଡ଼ି ଆଗକୁ ଦୌଡ଼ି ଆସି ହାତପତେଇ ଭିକ୍ଷା ମାଗୁଛନ୍ତି। କାଖରେ କୁନି କୁନି ପିଲାଙ୍କୁ ଧରି ଗାଡ଼ି ଛକରେ ରହିବା ପୂର୍ବରୁ ଭିକ୍ଷାବୃତ୍ତି କରିବା ଲାଗି ମହିଳାମାନେ ମଧ୍ୟ ମାଡ଼ିଆସୁଛନ୍ତି। ଏସବୁ ରାଜ୍ୟକୁ ତଥା ଭୁବନେଶ୍ୱରକୁ ବାହାର ପର୍ଯ୍ୟଟକଙ୍କ ନିକଟରେ ଯେତିକି ନିନ୍ଦିତ କରୁଛି, ଭିକ୍ଷା କରୁଥିବା ଶିଶୁ ଓ ମହିଳାଙ୍କ ଜୀବନକୁ ମଧ୍ୟ ବିପଦ ମଧ୍ୟକୁ ଠେଲି ଦେଉଛି। ଏହା […]

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଭିକ୍ଷାବୃତ୍ତି କରିବା ଲାଗି ବାଜିରେ ଲାଗିଛି ଜୀବନ। ସେମାନେ ଚଳନ୍ତା ଗାଡ଼ି ଆଗକୁ ଦୌଡ଼ି ଆସି ହାତପତେଇ ଭିକ୍ଷା ମାଗୁଛନ୍ତି। କାଖରେ କୁନି କୁନି ପିଲାଙ୍କୁ ଧରି ଗାଡ଼ି ଛକରେ ରହିବା ପୂର୍ବରୁ ଭିକ୍ଷାବୃତ୍ତି କରିବା ଲାଗି ମହିଳାମାନେ ମଧ୍ୟ ମାଡ଼ିଆସୁଛନ୍ତି। ଏସବୁ ରାଜ୍ୟକୁ ତଥା ଭୁବନେଶ୍ୱରକୁ ବାହାର ପର୍ଯ୍ୟଟକଙ୍କ ନିକଟରେ ଯେତିକି ନିନ୍ଦିତ କରୁଛି, ଭିକ୍ଷା କରୁଥିବା ଶିଶୁ ଓ ମହିଳାଙ୍କ ଜୀବନକୁ ମଧ୍ୟ ବିପଦ ମଧ୍ୟକୁ ଠେଲି ଦେଉଛି। ଏହା ପଛରେ ଏକ ଦଲାଲଗୋଷ୍ଠୀ କାମ କରୁଥିବା ଜଣାପଡ଼ିଛି। ଯେଉଁମାନେ ବାହାର ରାଜ୍ୟରୁ ଛୋଟଛୋଟ ପିଲାଙ୍କୁ ଆଣି ଏଭଳି କାମରେ ଲଗାଉଛନ୍ତି।

ରାଜଧାନୀରେ ଭିକ୍ଷୁକ ମୁକ୍ତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି, କିନ୍ତୁ ରାଜଧାନୀକୁ ବିହାର, ନାଗପୁର, ରାଜସ୍ଥାନ ଆଦି ଭଳି ରାଜ୍ୟରୁ ଭିକ୍ଷାବୃତ୍ତି କରିବା ଲାଗି ଆସୁଥିବା ଏଥିରେ ବାଧକ ସାଜିଛନ୍ତି। ଟ୍ରାଫିକ ଛକରେ ସବୁଜ ସିଗ୍‍ନାଲ ହେବା ପୂର୍ବରୁ ଗାଡ଼ି ଆଗକୁ ଆସି ଭିକ୍ଷା ମାଗୁଛନ୍ତି। ସେମାନେ ଏମିତି ଗାଡ଼ି ଆଗକୁ ଆସୁଛନ୍ତି ଯେ, କେତେବେଳେ ଯେ ଦୁର୍ଘଟଣା ନ ଘଟିବ ତାହା କହିହେବନାହିଁ।

ମିଳିଥିବା ଏକ ତଥ୍ୟ ଅନୁସାରେ ରାଜଧାନୀର ରୁପାଲି, ଏଜି, ଶିଶୁଭବନ, ଆଚାର୍ଯ୍ୟବିହାର, ଜୟଦେବବିହାର, ନାଲ୍‍କୋ ଛକ, ଡମଣା ଛକ, କଳ୍ପନା ଆଦି ଛକରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଭିକ୍ଷାବୃତ୍ତି କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତିକି ବି ଭିକ୍ଷାବୃତ୍ତି କରୁଛନ୍ତି ସେଥିରୁ ଅଧିକାଂଶ ନାବାଳକ ଓ ଶିଶୁ। ସେମାନଙ୍କର ମା’ମାନେ ବିଭିନ୍ନ ଛକରେ ଛାଇରେ ବସି କୋମଳମତି ପିଲାଙ୍କୁ ଭିକ୍ଷାବୃତ୍ତି କରିବା ଲାଗି ପଠାଇ ଦେଉଛନ୍ତି। ରାତି ହେଲେ ରେଲୱେ ଷ୍ଟେସନ ଓ ବାଣୀବିହାର ଛକର ବିଭିନ୍ନ ବସ୍ତିରେ ରହୁଛନ୍ତି। କରୋନା ସମୟରେ ସେମାନେ ନିଜ ଅଞ୍ଚଳକୁ ଫେରି ଯାଇଥିଲେ। କିନ୍ତୁ କଟକଣା କୋହଳ ପରେ ପୁଣି ରାଜଧାନୀକୁ ଆସି ଭିକ୍ଷାବୃତ୍ତି କରୁଛନ୍ତି। ତେବେ କେତେ ସଂଖ୍ୟକ ନାବାଳକ, ଶିଶୁ ଓ ମହିଳା ଏଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେ ବିଷୟରେ ବିଏମ୍‍ସି ନିକଟରେ କୌଣସି ତଥ୍ୟ ନାହିଁ। ରାଜଧାନୀରେ ଭିକ୍ଷାବୃତ୍ତି ଉପରେ ଏକ ରାକେଟ୍‍ ଚାଲୁଥିବା ଅଭିଯୋଗ ହେଉଛି। ସେମାନେ ବାହାର ରାଜ୍ୟରୁ ପିଲାଙ୍କୁ ଆଣି ଏଠାରେ ଭଡ଼ାରେ ଲଗାଉଛନ୍ତି ଓ ଭିକ୍ଷା କରାଉଛନ୍ତି।

ସେପଟେ ଦୁଇ ଦିନ ତଳେ ଶିଶୁଭବନ ଛକରେ ବିହାରରୁ ଆସି ଭିକ୍ଷାବୃତ୍ତି କରୁଥିବା ଗୋଟିଏ ପରିବାରର ୭ବର୍ଷିୟ ନାବାଳକ ଗାଡ଼ି ଆଗକୁ ଟଙ୍କା ମାଗିବା ଲାଗି ପଳାଇ ଆସିଥିଲା। ତେବେ ବାଇକ ଚାଳକ ତଥା ପୁରୁଣା ଭୁବନେଶ୍ୱର ଅଞ୍ଚଳର ଆଶିଷ୍‍ ଦାସ ବ୍ରେକ୍‍ ମାରିଥିଲେ ମଧ୍ୟ ଗାଡ଼ି ନିୟନ୍ତ୍ରଣ କରିବା ସମ୍ଭବ ହୋଇ ନ ଥିଲା। ତେଣୁ ଗାଡ଼ିଟି ନାବାଳକ ଉପରକୁ ପଡ଼ି ଯାଇଥିଲା।

ଏନେଇ ବିଏମ୍‍ସି ଡେପୁଟି କମିସନର କମଳାକାନ୍ତ ବେହେରା କହିଛନ୍ତି, ରାଜଧାନୀରେ ୩ଟି ଜୋନ୍‍ରେ ୩୦୦ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଦକ୍ଷତା ଅନୁସାରେ ପ୍ରଶିକ୍ଷଣ ଦିଆଯିବା ସହ ଖୁବ୍‍ଶୀଘ୍ର ଥଇଥାନ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରବର୍ତ୍ତୀ ସମୟରେ ବାହାରୁ ଆସି ଏଠାରେ ଖେଳନା ବିକ୍ରି କରିବା ଆଳରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ଲାଗି ବନ୍ଦୋବସ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତିି। ରାଜଧାନୀକୁ ଭକ୍ଷୁକମୁକ୍ତ କରିବାକୁ ଗୁରୁତ୍ୱ ଦିଆଯାଉଛି।
ସେପଟେ କମିସନରେଟ ପୁଲିସ ଅଧିକାରୀ କହିଛନ୍ତି, ଏଜି, ଏୟାରପୋର୍ଟ ଓ କ୍ୟାପିଟାଲ ହସ୍ପିଟାଲ ଆଦି ଛକରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ବାରଣ କରାଯାଇଛି। ଯଦି କିଛି ନାବାଳକ କିମ୍ବା ନାବାଳିକ ଭିକ୍ଷାବୃତ୍ତି କରୁଛନ୍ତି ତା’ ହେଲେ ତୁରନ୍ତ ବିଏମ୍‍ସିକୁ ଡାକିବା ସହ ସେମାନଙ୍କୁ ଘଉଡ଼ାଇ ଦିଆଯାଉଛି। ସେହିପରି ରୁପାଲି ଭଳି ଛକରେ ଟ୍ରାଫିକ ପୁଲିସ ପକ୍ଷରୁ ରାସ୍ତା ମଝିରେ ଭିକ୍ଷା ମାଗୁଥିବା ପିଲାଙ୍କୁ ବାରଣ କରାଯାଇଛି।

About The Author: The Sakala