ଭୁବନେଶ୍ବର : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅଭୟ। ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ରହିଛି।
ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ବିଧାନସଭା ସମ୍ମୁଖରେ କିଛି ଲୋକ ଆତ୍ମାହୁତି ଉଦ୍ୟମ କରିଥିଲେ। ଚଳିତ ଅଧିବେଶନ କାଳରେ ସେ ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଆଖପାଖ କିଛି ରାସ୍ତାକୁ ବନ୍ଦ କରାଯିବ ବୋଲି ସୂଚନା ରହିଛି। ଏଥି ସହିତ ପୁଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଅଧିକ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଲୋୟର ପିଏମ୍ଜିରେ ବିଭିନ୍ନ ସଂଗଠନ ଧାରଣା ଦେଇପାରନ୍ତି।
ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପୁଲିସ୍ ଡିଜିଙ୍କ ସହ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ଆର୍ କେ ଶର୍ମା, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇନ ଶୃଙ୍ଖଳା ଏଡିଜି ଜସବନ୍ତ ଜେଠୱା, ଡିସିପି ଉମାଶଙ୍କର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।