ସାବଧାନ! ଛେନାରୁ ବ୍ୟାପିପାରେ ଝାଡ଼ାବାନ୍ତି, ରାସ୍ତାକଡ଼ ପଚା ପାଣି ଛିଟା ଗଣ୍ଠିଲିରେ ମିଶୁଛି

ଭୁବନେଶ୍ୱର : କେବଳ ରାସ୍ତାକଡ଼ ଦୋକାନର ଖାଦ୍ୟ କି ଢାବା କିମ୍ବା ହୋଟେଲର ବାସି ଖାଦ୍ୟ-ପାନୀୟରୁ ନୁହେଁ; ଛେନା, ପନୀର କି ଖୁଆରୁ ବ୍ୟାପିପାରେ ଡାଇରିଆ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନା, ଖୁଆ, ପନୀର୍‌ ଆଦିର ଶୁଦ୍ଧତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। କାରଣ ଏହି ସବୁ ଖାଦ୍ୟ ପଦାର୍ଥ ପରିବହନ କରିବା ସମୟରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଉ ନାହିଁ। ଅତି ଖାମ୍‌ଖିଆଲ୍‌ ଢଙ୍ଗରେ ବ୍ୟବସାୟୀମାନେ ଏସବୁକୁ ବାଇକ୍‌ରେ ଝୁଲା […]

ଭୁବନେଶ୍ୱର : କେବଳ ରାସ୍ତାକଡ଼ ଦୋକାନର ଖାଦ୍ୟ କି ଢାବା କିମ୍ବା ହୋଟେଲର ବାସି ଖାଦ୍ୟ-ପାନୀୟରୁ ନୁହେଁ; ଛେନା, ପନୀର କି ଖୁଆରୁ ବ୍ୟାପିପାରେ ଡାଇରିଆ। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନା, ଖୁଆ, ପନୀର୍‌ ଆଦିର ଶୁଦ୍ଧତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି। କାରଣ ଏହି ସବୁ ଖାଦ୍ୟ ପଦାର୍ଥ ପରିବହନ କରିବା ସମୟରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଉ ନାହିଁ। ଅତି ଖାମ୍‌ଖିଆଲ୍‌ ଢଙ୍ଗରେ ବ୍ୟବସାୟୀମାନେ ଏସବୁକୁ ବାଇକ୍‌ରେ ଝୁଲା କରି ନେଉଛନ୍ତି। ବର୍ଷା ଦିନେ ରାସ୍ତାରେ ଅଳିଆ ପାଣି ଉପର ଦେଇ ଯାନବାହନ ଯିବାବେଳେ ପାଣିର ଛିଟା ଏସବୁ ଖାଦ୍ୟ ପଦାର୍ଥ ଉପରେ ପଡ଼ୁଛି।

ବ୍ୟବସାୟୀମାନେ ଏହି ଅଳିଆପାଣିରେ ବତୁରା ଛେନା, ପନୀର ଓ ଖୁଆକୁ ନେଇ ବିଭିନ୍ନ ଛକ ବଜାରରେ ବିକ୍ରି କରୁଛନ୍ତି। ଲୋକମାନେ ବି ଏହାକୁ କିଣି ନେଉଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀମାନେ ହୋଟେଲ୍‌, ଢାବା, ରେସ୍ତୋରାଁ, ଫାଷ୍ଟଫୁ୍‌ଡ୍‌ ଷ୍ଟଲ୍‌ରେ ଚଢ଼ଉ କରୁଛନ୍ତି; ମାତ୍ର ଏଥିପ୍ରତି ନଜର ନାହିଁ। ଅସନା ପାଣିରେ ବତୁରିଥିବା ପନୀର, ଛେନା, ଖୁଆକୁ ଖାଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏସବୁ ଖାଦ୍ୟ ସାମଗ୍ରୀ କେତେ ଶୁଦ୍ଧ, ତା’ର ଯାଞ୍ଚ କରାଯିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ଭୁବନେଶ୍ୱର ଓ କଟକରେ ପାଖାପାଖି ୩ ଶହ ଛେନା, ପନୀର୍‌ ବେପାରୀ ବିଭିନ୍ନ ସ୍ଥାନରେ ଷ୍ଟଲ୍‌ କରି ବିକ୍ରି କରୁଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ବନମାଳୀପୁର, ପାହାଳ, ଜୋହଳ, ନିଆଳି ଆଦି ସ୍ଥାନରୁ ଆସୁଛନ୍ତି। ଜାତୀୟ ରାଜପଥ ଦେଇ ସହର ଭିତରକୁ ପ୍ରବେଶ କରୁଛନ୍ତି। ଜାତୀୟ ରାଜପଥରେ ଲଗାଣ ବର୍ଷା ଯୋଗୁଁ ବର୍ଷା ପାଣି ଜମି ରହୁଛି। ବେପାରୀମାନେ ଛେନାକୁ ବାଇକ୍‌ ପଛପଟେ ଝୁଲାଇ ଆଣିବାବେଳେ ବଡ଼ ବଡ଼ ଟ୍ରକ୍‌ ଓ ଦ୍ରୁତଗାମୀ ଗାଡ଼ି ଯିବାବେଳେ ପାଣି ଛିଟା ଛେନା ଗଣ୍ଠିଲି ଉପରେ ପଡ଼ୁଛି। ପତଳା ଧୋତି କପଡ଼ାରେ ଛେନା ବନ୍ଧା ହୋଇଥିବାରୁ ରାସ୍ତାର ମଇଳା ପାଣି ସବୁ ଛେନାରେ ମିଶୁଛି। ତା’ପରେ ଏହାକୁ ଆଣି ବିକ୍ରି କରାଯାଉଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଏସବୁ ଖାଦ୍ୟସାମଗ୍ରୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନଜର ଆଢ଼ୁଆଳରେ ରହି ଯାଉଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ଡାଇରିଆ ତଥା ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାରେ ଲାଗିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ଡାଇରିଆ କଲବଲ କରିବା ପରେ ଏବେ ଦକ୍ଷିଣ ଓଡ଼ିଶାକୁ ବ୍ୟାପିଛି। ରାଜ୍ୟ ସରକାର ଏଥିପାଇଁ ଏକାଧିକ ସଚେତନତାମୂଳକ ପଦକ୍ଷେପ ନେଉଥିବା କହୁଛନ୍ତି। ହେଲେ ଏଭଳି ଏକାଧିକ ଖାଦ୍ୟ ପଦାର୍ଥ ବିକ୍ରି ଦ୍ରବ୍ୟ ଉପରୁ ତାଙ୍କ ନଜର୍‌ ହଟିଯାଉଛି। ତେଣୁ ଏହା ଉପରେ ଦୃଷ୍ଟି ଦେଲେ ଡାଇରିଆ ନିୟନ୍ତ୍ରଣ ସହ ଲୋକ ସ୍ୱାସ୍ଥ୍ୟହାନୀରୁ ବର୍ତ୍ତିପାରିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜଣେ ବରିଷ୍ଠ ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି, ଏହି ବ୍ୟବସାୟୀମାନେ ସନ୍ଧ୍ୟା ସମୟରେ ଆସୁଛନ୍ତି। ନଚେତ୍‌ ନାଗୁଆ ଦୋକାନରେ ଜିନିଷ ବିକ୍ରି କରି ଚାଲି ଯାଉଛନ୍ତି। ତେଣୁ ଏମାନଙ୍କ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ସମ୍ଭବ ହେଉନି। ଏବେ ଏହା ଉପରେ ମଧ୍ୟ ଯାଞ୍ଚ କରାଯିବ। ଏଥିସହ ଯେଉଁ ଦୋକାନଗୁଡ଼ିକରେ ଏମାନେ ଜିନିଷ ବିକ୍ରି କରୁଛନ୍ତି, ତା’ର ବି ଯାଞ୍ଚ କରାଯାଇ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ ବୋଲି ସେ କହିଛନ୍ତି

About The Author: The Sakala