ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।
ସେ ନିଜ ସୋସିଆଲ ମଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ପ୍ରତିଦିନ ଖବରକାଗଜରେ ଭୁବନେଶ୍ବରରେ ବଢ଼ୁଥିବା ଅପରାଧ ଏବଂ ଡକାୟତିର ଖବର ଦେଖୁବାକୁ ମିଳୁଛି। ମୋ ଘରେ ଡକାୟତି ଘଟି ୧୦ ଦିନ ହୋଇଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପୁଲିସ୍ ଅପରାଧୀଙ୍କୁ ଧରିପାରିନାହାନ୍ତି। ଏହି ଘଟଣା କେବଳ ମୋ ପାଇଁ ନୁହେଁ, ଆମ ସମଗ୍ର ଓଡ଼ିଶା ପାଇଁ ଏକ ଗଭୀର ଚିନ୍ତାର ବିଷୟ। ରାଜ୍ୟରେ, ବିଶେଷକରି ଭୁବନେଶ୍ବରରେ ଅପରାଧ କାହିଁକି ଏତେ ବଢ଼ୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବେକାରି ସମସ୍ୟା, ଡ୍ରଗ୍ସ ଏବଂ ମଦପାନର ଅତ୍ୟଧିକ ବ୍ୟବହାର ଅପରାଧକୁ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି
ଏହି ଅବସ୍ଥା ଦୂର କରିବା ପାଇଁ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ପୁଲିସ ବିଭାଗକୁ ଆଧୁନିକ ତଥା ଉନ୍ନତ ପ୍ରଯୁକ୍ତିର ସହାୟତା ଦେଇ ସୁଦୃଢ଼ କରିବା ଉଚିତ। ନିରାପତ୍ତା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଅପରାଧର ମୁକାବିଲା ପାଇଁ ପ୍ରଶାସନ ଦୃଢ଼ ହେବା ସହ ସକ୍ରିୟ ପଦକ୍ଷେପ ନେଉ। ମୁଁ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି–ସତର୍କ ରହନ୍ତୁ, ନିଜେ ନିଜକୁ ରକ୍ଷା କରନ୍ତୁ ବୋଲି ସେ ସୋସିଆଲ ମଡିଆରେ କହିଛନ୍ତି।