ବରଗଡ଼(ବଦ୍ରିପ୍ରସାଦ ସାହୁ): ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନଭିନ୍ନ ପ୍ରକଳ୍ପ ଘୋଷଣା କରାଯାଇଛି। ବିଶେଷକରି କୃଷି ଜଳସେଚନ ଦିଗରେ ରାଜ୍ୟ ସରକାରଙ୍କ ଅବଦାନ ଜିଲ୍ଲାର ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ସହାୟକ ହୋଇପାରିଛି। ଏପରିସ୍ଥଳେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ବରଗଡ଼ ଜିଲ୍ଳା ପାଇଁ ଆଉ ଏକ ସବୁଜ କ୍ରାନ୍ତି ଆଣିବାକୁ ଯାଉଛି।
ଷାଠିଏ ଦଶକରେ ହୀରାକୁଦ ଜଳଭଣ୍ଡାରରୁ ଜଳଯୋଗାଣ ଆରମ୍ଭ ହେବା ପରେ ବରଗଡ଼ ଜିଲ୍ଳାର ବରଗଡ଼, ଅତାବିରା, ଭେଡେନ ଓ ବରପାଲି ବ୍ଲକ୍ କମାଣ୍ଡ ଏରିଆରେ ସ୍ଥାନ ପାଇଥିଲା। ଏହି ଜଳସେଚନ ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ ବରଗଡ଼ ଜିଲ୍ଳାକୁ ଓଡ଼ିଶାର ଭାତହାଣ୍ଡି ବୋଲି କୁହାଯାଉଛି। ଏବେ ନବୀନ ପଟ୍ଟନାୟକଙ୍କ ସରକାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ବରଗଡ଼ ଜିଲ୍ଳାର ବିଜେପୁର ଓ ସୋହେଲା ବ୍ଲକ୍ର ୧୦୦ ଟି ଗାଁକୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦେବା ସହ ବରପାଲିର ୨୨ଟି ଓ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲିର ୭ଟି ଗାଁର ଚାଷୀ ଜଳସେଚନର ସୁବିଧା ପାଇପାରିବେ। ପରେ ଏହି ପ୍ରକଳ୍ପରେ ବରଗଡ଼ ବ୍ଲକ୍ର ୧୨ଟି ଏବଂ ବରପାଲି ବ୍ଲକ୍ର ଆଉ ୨ଟି ଗାଁକୁ ସାମିଲ କରାଯାଇଥିଲା।
୨୦୧୯ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ଅତି ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇ ଖୁବଶୀଘ୍ର ଏହା ଲୋକାର୍ପଣ ହେବାକୁ ଯାଉଛି। ଏଠାରେ ଉଲ୍ଳେଖଯୋଗ୍ୟ ଯେ ବିଜେପୁର ଓ ସୋହେଲା ବ୍ଲକ୍ ହୀରାକୁଦ କେନାଲରୁ ଭୂପୃଷ୍ଠର ଉପରେ ଥିବାରୁ ସାଧାରଣ କେନାଲରେ ଏହି ଅଞ୍ଚଳକୁ ଜଳଯୋଗାଣ ଏକ ପ୍ରକାର ଅସମ୍ଭବ ଥିଲା। ତେବେ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯାଇ ହୀରାକୁଦ ଜଳଭଣ୍ଡାରରୁ ପାଣି ଅଣାଯାଇ ଏହାକୁ ଉପରକୁ ଉଠାଯିବା ପରେ ପୁଣି ଏହାକୁ ତଳକୁ ଅଣାଯାଇ ପମ୍ପ ଜରିଆରେ ଏହି ଉପର ଅଞ୍ଚଳଗୁଡିକୁ ଜଳଯୋଗାଣ କରାଯିବ। ମୋଟ ୫୩ କିଲୋମିଟର ଲମ୍ବ ମୁଖ୍ୟ ପାଇପ୍ଲାଇନର ପ୍ରଥମ ୩୨ କିଲୋମିଟର ୩ ମିଟର ସାଇଜ ପାଇପ ଜରିଆରେ ଜଳ ହୀରାକୁଦ ଜଳଭଣ୍ଡାରରୁ ତୁରୁଙ୍ଗା ଗ୍ରାମ ନିକଟକୁ ପହଞ୍ଚିବ। ଏହି ସ୍ଥାନରୁ ପୁଣି ୨୧ କିଲୋମିଟର କନାପାଲି ପର୍ଯ୍ୟନ୍ତ ୩.୮ ମିଟର ପାଇପ ଜରିଆରେ ଜଳ ଆଗକୁ ବଢ଼ିବ। ଏହାପରେ ପ୍ରାୟ ୩୧ ଶହ କିଲୋମିଟର ବିଭିନ୍ନ ସାଇଜ ପାଇପ ଦ୍ୱାରା ଚାଷୀମାନଙ୍କ କ୍ଷେତରେ ଜଳଯୋଗାଣ ହେବ।
ଏଥିପାଇଁ ହୀରାକୁଦ, ତୁରଙ୍ଗା ଓ କନାପାଲିଠାରେ ତିନୋଟି ପମ୍ପ୍ହାଉସର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଏହି ଚାରୋଟି ବ୍ଳକର ୧୨୯ଟି ଗ୍ରାମର ପ୍ରାୟ ୨୫ ହଜାର ୬୦୦ ହେକ୍ଟର ଜମିକୁ ପାଣି ପହଞ୍ଚିବ। ଏହି ଉଠାଜଳସେଚନ ପ୍ରକଳ୍ପ ହେବା ପୂର୍ବରୁ ଏହି ଅଞ୍ଚଳରେ କେବଳ ଖରିଫ ଫସଲ ହେଉଥିବା ବେଳେ ଏହା ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ତେବେ ବର୍ତ୍ତମାନ ବର୍ଷା ନ ହେଲେ ମଧ୍ୟ ଖରିଫ ସମୟରେ ଏବଂ ସମ୍ପୂର୍ଣ୍ଣ ଭାବରେ ଏଠାରେ ରବି ଚାଷ ମଧ୍ୟ ହୋଇପାରିବ। ପୂର୍ବରୁ କେନାଲ ଅଞ୍ଚଳଗୁଡ଼ିକରେ ଅଧିକାଂଶ ଜମିରେ ଧାନ ଚାଷ ହେଉଥିବା ବେଳେ ଏହି ପ୍ରକଳ୍ପରେ ପାଇପ ଯୋଗେ ଜଳଯୋଗାଣ ହେଉଥିବାରୁ ଅନ୍ୟ ଫସଲଗୁଡ଼ିକ ମଧ୍ୟ ହୋଇପାରିବ। ବିଜେପୁର ଓ ସୋହେଲା ବ୍ଲକରେ ବର୍ତ୍ତମାନ ପରିବା ଚାଷ ବହୁ ପରିମାଣରେ ବୃଦ୍ଧି ପାଇଛି। ଏଣୁ ଏହି ଜଳସେଚନ ପ୍ରକଳ୍ପ ଏହି ଅଞ୍ଚଳ ପାଇଁ ଏକ ବରଦାନ ସଦୃଶ ହୋଇପାରିବ।
ପ୍ରକଳ୍ପରେ ୧୪ ଗାଁ ସାମିଲ
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ସୋହେଲା, ବିଜେପୁର, ବରପାଲି ଏବଂ ଡୁଙ୍ଗୁରିପାଲିର ୧୨୯ଟି ଗାଁ ସାମିଲ କରାଯାଇଥିଲା। ତେବେ ଚାଷୀଙ୍କ ଦାବି ପରେ ବରଗଡ଼ ବ୍ଳକର ୧୨ଟି ଏବଂ ବରପାଲି ବ୍ଲକର ୨ଟି ଗାଁକୁ ପୁଣି ଏହି ପ୍ରକଳ୍ପରେ ସାମିଲ କରାଯାଇଥିଲା। ଫଳରେ ଏହି ପ୍ରକଳ୍ପ ଦ୍ୱାରା ଆହୁରି ୧୪ଟି ଗାଁର ପାଖପ।।ଖି ୫୭୧୮ ହେକ୍ଟର ଜମି ଜଳସେଚିତ ହୋଇପାରିବ ।
ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ
ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବା ସହ ଠିକ ସମୟରେ ଯେପରି କାର୍ଯ୍ୟ ଶେଷ ହେବ ସେ ଦିଗରେ ଚେଷ୍ଟିତ ଥିଲେ। ରାଜ୍ୟ ସରକାର ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ସର୍ବମୋଟ ୧୬୭୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଏଥିମଧ୍ୟରୁ ୩୮୧ କୋଟି ଟଙ୍କା ହୀରାକୁଦର ଜିରୋ ଆରଡିରୁ ତୁରୁଙ୍ଗା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଥିବା ବେଳେ ତୁରୁଙ୍ଗାରୁ ସମଗ୍ର ପ୍ରକଳ୍ପ ପାଇଁ ୧୨୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୨୦ କ୍ୟୁମେକ୍ସ ଜଳଯୋଗାଣ ହୋଇପାରିବ।
ଚାଷୀ ହେବେ ଉପକୃତ
ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ବିଶେଷକରି ଅଣଜଳସେଚିତ ସୋହେଲା ଏବଂ ବିଜେପୁର ବ୍ଲକ୍ ବେଶ ଲାଭବାନ ହୋଇପାରିବେ। ଚାଷୀମାନେ ଖରିଫ ସହ ରବି ଚାଷ ପାଇଁ ଜଳସେଚନର ସୁବିଧା ପାଇ ପାରିବେ। ବିଶେଷକରି ଡାଳି ଜାତୀୟ ତଥା ତୈଳବୀଜ ସହ ଅନ୍ୟାନ୍ୟ ଫସଲ କରି ଚାଷୀମାନେ ଆର୍ଥିକ କ୍ଷେତ୍ରରେ ବେଶ ସ୍ୱାବଲମ୍ବୀ ହୋଇପାରିବେ।